ଲୁହାପାଇପି ଘେରରୁ ମୁକ୍ତ ହୋଇଛି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର

0

(ଜୟନ୍ତ କୁମାର ସେଠୀ)ଗୋପ: ତ୍ରୟୋଦଶ ଶତାଦ୍ଧୀରେ ନିର୍ମିତ ହୋଇଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଚତୃପାଶ୍ୱର୍ରେ ଲାଗିଥିବା ଲୁହାପାଇପି ଭାରାକୁ ଖୋଲିବା କାର୍ଯ୍ୟ ଆରମ୍ଭ ହୋଇଛି । ଯାହା ଫଳରେ କି ଲୁହାପାଇପି ଘେରରୁ ମୁକ୍ତ ହୋଇଛି ସୂର୍ଯ୍ୟମନ୍ଦିର । ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେବ ଲୁହାପାଇପ ଭାରରେ ଆବଦ୍ଧ କରାଯାଇଥିଲା । ସୂର୍ଯ୍ୟମନ୍ଦିର ଭ୍ରମଣରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଲୁହାପାଇପି ଭାରାରେ ଆବଦ୍ଧ ହୋଇ ରହିଥିବା ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗାତ୍ରରେ ଖୋଦିତ ସୁକ୍ଷ୍ମ କାରୁ କାର୍ଯ୍ୟକୁ ଦେଖି ନ ପାରି ଅସନ୍ତୋଷ ବ୍ୟକ୍ତ କରି ନିରାଶରେ ଫେରି ଯାଉଥିଲେ । ବର୍ଷାଋତୁ ସମୟରେ ସୂର୍ଯ୍ୟମନ୍ଦିର ପରିସରରେ ପାଣି ଜମିବା ତଥା ସଂରକ୍ଷଣଜନିତ ବହୁବିଧ ସମସ୍ୟାକୁ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଏହାର ସମାଧାନ ପାଇଁ ଚଳିତ ବର୍ଷ ଅଗଷ୍ଟମାସରେ ଆମିକସ କ୍ୟୁରି ଭାବେ ବରିଷ୍ଟ ଆଇନଜୀବୀ ଏନ୍.କେ. ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା । ଆମିକସ କ୍ୟୁରି ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଦୁଇଥର ସୂର୍ଯ୍ୟମନ୍ଦିର ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କେନ୍ଦ୍ରୀୟ କୋଠା ଗବେଷଣା କେନ୍ଦ୍ର (ସିବିଆରଆଇ)ର ରିପୋର୍ଟ ଅନୁଯାୟୀ ମନ୍ଦିର ଶତପତି ଶତ ସୁରକ୍ଷିତ ଅଛି । ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ଆସନ୍ତା ନବବର୍ଷ ପୂର୍ବରୁ ଜଗମୋହନ ଚାରିପଟେ ଲାଗିଥିବା ଲୁହା ପାଇପ ଭାରାକୁ କଢାଯାଇ ଆବଶ୍ୟକ ସ୍ଥଳରେ ଜଙ୍କ ପ୍ରତିରୋଧକ ବିମ୍ ଭାରା ଲାଗିବ । ଯାହାଦ୍ୱାରା ଜଗମୋହନର ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦିଆଯିବା ସହିତ ପର୍ୟ୍ୟଟକମାନେ ମନ୍ଦିରର ଗାତ୍ରରେ ଖୋଦିତ ସୁକ୍ଷ୍ମ ଭାସ୍କର୍ୟ୍ୟକୁ ଦେଖିପାରିବେ । ପ୍ରଥମ ପର୍ୟ୍ୟାୟରେ ସୂର୍ଯ୍ୟ ମନ୍ଦିର ପଶ୍ଚିମ ପାଶ୍ୱର୍ର ଚୁଡାରୁ ଲୁହାପାଇପି ଭାରା ଖୋଲିବା କାର୍ୟ୍ୟ ଆରମ୍ଭ ହୋଇଛି ବୋଲି ମନ୍ଦିରର ସଂରକ୍ଷଣ ସହାୟକ ନିରୋଜ ସିଂଙ୍କ ସୂଚନା ଦେଇଛନ୍ତି ।