(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ବ୍ଲକ ବୁରୁଝୁରୀ ପଞ୍ଚାୟତର ବାଲିବଣ ଠାରେ ଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ମନ୍ଦିର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ସହ ଆସନ୍ତା କିଛି ଦିନ ମଧ୍ୟରେ ମନ୍ଦିର କାର୍ୟ୍ୟ ସମ୍ପୂର୍ଣ୍ଣ କରି ବୈଶାଖ ମାସରେ ମନ୍ଦିର ପ୍ରତିଷ୍ଠା କରିବା ସକାଶେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ପ୍ରଫେସର ଶ୍ରୀନିଳମାଧବ ବେହେରାଙ୍କ ପୌରୋହିତରେ ଆଜିର ଏହି ବୈଠକରେ ସଂମାନିତ ଅତିଥି ଶ୍ରୀ ପ୍ରକାଶ ଚନ୍ଦ୍ର ତିଆଡ଼ି, ଶ୍ରୀ କୀର୍ତନ ସାହୁ, ଶ୍ରୀ ସୁଶାନ୍ତ କୁମାର ସାହୁ, ଆଇନଜୀବୀ ଶ୍ରୀ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଉକ୍ତ ମନ୍ଦିରକୁ ବିଶ୍ୱସ୍ତରୀୟ ମନ୍ଦିରର ରୂପରେଖ ଦେବା ପାଇଁ ସମସ୍ତ ସହଯୋଗ କରିଥିଲେ । ଦୁଇ ଏକର ଜାଗାରେ ପରିବ୍ୟାପ୍ତ ଏହି ବାଲିବଣ ଠାରେ ଦୀର୍ଘ ୪୦ବର୍ଷ ଧରି ପୁରୀର ଜଣେ ସାଧୁବାବା ଶ୍ରୀ ଗୋପାଳ କୃଷ୍ଣ ଏଠାରେ ମଠଟିଏ କରି ରହୁଥିବା ବେଳେ ତାଙ୍କ ତତ୍ୱାବଧାନରେ ତିଆରି ହେଉଥିବା ଏହି ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରକୁ ବିଶ୍ୱସ୍ତରୀୟ କରିବା ସକାଶେ ବୈଠକରେ ନିଷ୍ପତି ନିଆଯାଇଥିଲା । ଏହି ମନ୍ଦିର ତିଆରି ତଥା ଉନ୍ନତି ସକାଶେ ଆଖ ପାଖର ୭ଟି ପଞ୍ଚାୟତରୁ ବହୁ ଭକ୍ତ ସ୍ଵଇଚ୍ଛାରେ ନିଜର ବହୁମୂଲ୍ୟ ସମୟକୁ ବିନିଯୋଗ କରିଥିବାରୁ ବୈଠକରେ ସମସ୍ତ ଅତିଥି ଖୁସି ବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ବାଲିବଣ ଠାରେ ଵୃଦ୍ଧାଶ୍ରମ, କନ୍ୟାଶ୍ରମ, ଗୋଶାଳା ଓ ଭଣ୍ଡାର ଗୃହ କରିବା ସକାଶେ ଅଞ୍ଚଳବାସୀ, ବ୍ଲକ ବାସୀ ଓ ଜିଲ୍ଲାର ସମସ୍ତ ଭକ୍ତଙ୍କୁ ସ୍ଵଇଚ୍ଛାରେ ଆଗେଇ ଆସି ଏହି ମହାନ କାର୍ୟ୍ୟରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିଲା । ଆଜିର ଏହି ବୈଠକରେ ମନ୍ଦିରର ସଭାପତି ଶ୍ରୀ ବିଭୁତି ଭୁଷଣ ନାୟକ, ଉପ ସଭାପତି ଶ୍ରୀ ବସନ୍ତ କୁମାର ବାରିକ, କାର୍ୟ୍ୟକାରୀ ସଭାପତି ଶ୍ରୀ ଶରତ ଚନ୍ଦ୍ର ପାଣ୍ଡୀ, ସମ୍ପାଦକ ଶ୍ରୀ ମୋଚିରାମ ସେଠିଙ୍କ ସମେତ ଆଖପାଖ ପଞ୍ଚାୟତରୁ ପ୍ରାୟ ୧୫୦ରୁ ଉର୍ଦ୍ଧ ଭକ୍ତ ଯୋଗ ଦେଇଥିଲେ । ଆଜିର ଏହି ବୈଠକ ପରିଚାଳନାରେ ନାରାୟଣ ସାହୁ ସମସ୍ତ ସହଯୋଗ କରିବା ସହିତ କୋଭିଡ ୧୯ ନିୟମ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।