ଶିଶୁ ଗୃହ ସଂସ୍ଥାପକଙ୍କ ଦ୍ୱାରା ୨୧ ଅନ୍ତେବାସୀ ସମଲିଙ୍ଗୀ ଯୌନ ଶୋଷଣର ଶିକାର

0

ଝାରସୁଗୁଡ଼ା: ଶିଶୁ ଗୃହ ସଂସ୍ଥାପକଙ୍କ ସମଲିଙ୍ଗୀ ଯୌନ ଶୋଷଣ । ଅଭିଯୋଗ ପରେ ଗିରଫ ହୋଇଛନ୍ତି ସଂସ୍ଥାପକ । ଝାରସୁଗୁଡ଼ା ସ୍ଥିତ ଫେଥ୍‌ ଆଉଟ୍‌ରିଚ୍‌ ଚିଲ୍‌ଡ୍ରେନ୍‌ ହୋମ୍‌ର ସଂସ୍ଥାପକ ଜନ୍‌ ପେଟ୍ରିକ ବ୍ରିଜ୍‌ଙ୍କ ନାମରେ ଯୌନ ଶୋଷଣର ମାମଲା ପରେ ତାଙ୍କୁ ଗିରଫ କରାଯାଇଛି । ତଦନ୍ତ ବେଳେ ତାଙ୍କ ବହୁ କେଳେଙ୍କାରୀ ପଦାକୁ ଆସିଛି । ୨୧ ଜଣ ଅନ୍ତେବାସୀ ବ୍ରିଜ୍‌ ଦ୍ୱାରା ସମଲିଙ୍ଗୀ ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ନ୍ୟୁଜିଲାଣ୍ଡ ୱେଲିଂଟନସ୍ଥିତ ଭାରତୀୟ ଦୂତାବାସରେ ସେଠିକାର ଫେଥ୍‌ ଆଉଟ୍‌ରିଚ୍‌ ସଂସ୍ଥାର ସଂପାଦକ ଆନେ କିଙ୍ଗ୍‌ ଅଭିଯୋଗ କରିଥିଲେ । ଯେଉଁଥିରୁ ୪ଜଣ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗର ସତ୍ୟପାଠ ମଧ୍ୟ ପ୍ରଦାନ କରିଥିଲେ । ଭାରତୀୟ ହାଇ କମିଶନ ଉକ୍ତ ଅଭିଯୋଗକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇ ଦେଇ ତଦନ୍ତ ପୂର୍ବକ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଜଣାଇଥିଲେ । ଏବେ ଜନ୍‌ ପି ବ୍ରିଜ୍‌ ଜେଲ ହାଜତରେ ।
ଜନ୍‌ ପି ବ୍ରିଜ୍‌ ମୂଳତଃ ହେଉଛନ୍ତି ଜଣେ ବ୍ରିଟିଶ ନାଗରିକ। ସେ ଭାରତ ଆସି ଏଠାର ନାଗରିକତ୍ୱ ଗ୍ରହଣ କରିଥିଲେ । ବ୍ରିଜ ତାଙ୍କ ପତ୍ନୀ ଓ ପୁଅ ସହ ଝାରସୁଗୁଡ଼ାଠାରେ ବାସ କରିବା ସହ ଝାରସୁଗୁଡାରେ ଫେଥ୍‌ ଆଉଟ୍‌ରିଚ୍‌ ଚିଲଡ୍ରେନ୍‌ ହୋମର ପରିଚାଳନା କରୁଛନ୍ତି । ୧୯୯୬ ରୁ ପ୍ରତିଷ୍ଠିତ ଏହି ଶିଶୁ ଗୃହରେ ପ୍ରାୟ ୮୫୦ ଶିଶୁ ଅନ୍ତେବାସୀ ରହୁଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ କନ୍ଧମାଳ ଜିଲ୍ଲାର ଗରିବ ଅନୁସୂଚିତ ଜନଜାତି ବର୍ଗର ଥିଲେ । ନ୍ୟୁଜିଲାଣ୍ଡ ହେଡ କ୍ୱାଟରରୁ ଏହି ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛି ।
୨୦୧୯ ଅକ୍ଟୋବର ୧୦ ତାରିଖରେ ବାଇବେଲ ସ୍କୁଲ କ୍ଲାସ୍‌ରେ ବ୍ରିଜ୍‌ଙ୍କୁ ଜଣେ ଅନ୍ତେବାସୀ ଛାତ୍ର ଆକ୍ରମଣ କରିଥିବା ନେଇ ଫେଥ୍‌ ଆଉଟ୍‌ରିଚ୍‌ର ବୋର୍ଡ ସଦସ୍ୟ ଜନ୍‌ ବ୍ରିଜ୍‌ଙ୍କ ପୁଅଠାରୁ ଜାଣିବାକୁ ପାଇଥିଲେ । ପ୍ରଥମକରି ବ୍ରିଜଙ୍କ କେଳେଙ୍କାରୀ ସମ୍ପର୍କରେ ଜଣା ପଡିଥିଲା । ପଚରାଉଚରାରୁ ଛାତ୍ର କହିଥିଲା ତା ସହ ବ୍ରିଜ ସମଲିଙ୍ଗୀ ଯୌନ ସଂପର୍କର ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ସେ ତାଙ୍କୁ ଆକ୍ରମଣ କରିଛି । କିନ୍ତୁ ଏହି ଅଭିଯୋଗକୁ ବ୍ରିଜ ଖଣ୍ଡନ କରିଥିଲେ । ମାତ୍ର ପରେ ଏକ ଲିଖିତ ଅଭିଯୋଗ ନିୟୁଜିଲାଣ୍ଡରେ ଥିବା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା । ପରେ ଜନ୍‌ ବ୍ରିଜ୍‌ଙ୍କ କାର୍ୟ୍ୟକଳାପ ସଂପର୍କରେ ଅନୁସନ୍ଧାନ କରିବାରୁ ୨୧ ଜଣ ଏଭଳି ସମଲିଙ୍ଗୀ ଯୌନ ଶୋଷଣର ଶିକାର ହୋଇଥିବା ନେଇ ତଥ୍ୟ ମିଳିଥିଲା ।