(ଗୋଲାପ ସାହୁ)କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଏହି ବିଦ୍ୟାଳୟଟି ୧୯୪୨ ମସିହାରେ ସ୍ଥାପିତ ହୋଇଥିଲା । ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ରହିଥିବା ବେଳେ ବିଦ୍ୟାଳୟରେ ସମୁଦାୟ ଛାତ୍ରଛାତ୍ରୀ ୧୮୦ ଜଣ ଅଧ୍ୟୟନ କରୁଛନ୍ତି । ସେଥି ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ ଜଣ ଦ୍ୱିତୀୟରେ ୨୫, ତୃତୀୟରେ ୧୫, ଚତୁର୍ଥରେ ୨୧, ପଞ୍ଚମରେ ୧୪, ଷଷ୍ଠରେ ୩୩, ସପ୍ତମରେ ୩୯ ଓ ଅଷ୍ଟମରେ ୨୧ ଜଣ ରହିଛନ୍ତି । ତେବେ ସେଥି ମଧ୍ୟରୁ ଛାତ୍ରୀ ୮୩ ଓ ଛାତ୍ର ସଂଖ୍ୟା ୯୭ ରହିଥିବା ବେଳେ ମୋଟ ସମୁଦାୟ ୧୮୦ ଜଣ ଅଧ୍ୟୟନ କରିଆସୁଛନ୍ତି । ବିଦ୍ୟାଳୟରେ ମୋଟେ ୪ ଗୋଟି କୋଠା ରହିଥିବାବେଳେ ଡିପିଇପି କୋଠା ଗୋଟିଏ ଏବଂ ଅନ୍ୟ କୋଠା ତିନୋଟି ରହିଛି । ସମୁଦାୟ ୪ ଗୋଟି କୋଠାରୁ ତିନୋଟି କୋଠା ସଂପୁର୍ଣ୍ଣ ଭାବରେ ଅକାମି ହୋଇପଡିଛି । ଆଉ ଗୋଟାଏ କୋଠାରେ ସମସ୍ତ ଛାତ୍ରଛାତ୍ରୀ ପାଠ ପଢୁ ଆସୁଥିବାବେଳେ ସେହି କୋଠା ଦୀର୍ଘ ୨୫ ବର୍ଷ ତଳେ ତିଆରୀ କରାଯାଇଥିବାବେଳେ ଉକ୍ତ କୋଠାରେ ମଧ୍ୟ ବର୍ଷାହେଲେ ପାଣି ଝୁରୁଛି । ଅନ୍ୟପଟେ ଅଫିସ୍ ଗୃହ ଓ କମନରୁମରେ ମଧ୍ୟ ଛାତ ଉପରୁ ଦଳଦଳ ହୋଇ ସିମେଣ୍ଟ ଅତଡା ଖସିପଡୁଥିବା ବେଳେ କାନ୍ଥ ମଧ୍ୟ ଫାଟି ଆଁ କଲାଣି । ବିଭିନ୍ନ ସମୟରେ ସ୍କୁଲ ର ଶୋଚନୀୟ ଅବସ୍ଥାକୁ ଶିକ୍ଷକ, ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ଆସୁଛନ୍ତି । ହେଲେ ଆଜି ଯାଏଁ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରିନାହିଁ । ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇଆସୁଥିବା ବେଳେ ଛାତ୍ରଛାତ୍ରୀ ଅନୁପାତ ରେ ଶିକ୍ଷକ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ତା ସହିତ ଶ୍ରେଣୀ ଗୃହ ମାନଙ୍କୁ ସୁନ୍ଦର କରିବା ପାଇଁ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେଇ ଆସୁଥିବାବେଳେ ଅରେବେଡା ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀ ଗୃହ ଗୁଡିକ ଏବେ ଶୋଚନୀୟ ଅବସ୍ଥାକୁ ଆସି ଯାଇଥିଲେ ସୁଦ୍ଧା ଏଥିପ୍ରତି କାହାରି ଦୃଷ୍ଟି ପଢୁନଥିବା ବେଳେ ଛାତ୍ରୀଛାତ୍ର ମାନେ ସେହି ବିପଦ ସଙ୍କୁଳ କୋଠା ମାନଙ୍କରେ ଶିକ୍ଷାଦାନ କରୁଛନ୍ତି । ଏହି ବିଦ୍ୟାଳୟ ଶ୍ରେଣୀ ଗୃହର ସମସ୍ୟା କୁ ଶିଘ୍ର ସମାଧାନ କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତ ରଂଜନ ମାଝୀ, ବୈଦେହି ବାଗ, ଭୁପତି ଚନ୍ଦନ, ରମଣୀ ରଂଜନ ହଂସ, ବଲରାମ ଶବର, ସନାତନ ବାଗ, ଦୁଷ୍ମନ୍ତ ବେଣୁପାଣି, ତରୁଲତା ଲହଜଲ, ଦୁର୍ମିଲା ଶବର, ପଦ୍ମାବତୀ ବାଗ, କୌଶଲ୍ୟା ଧଙ୍ଗଡା ମାଝୀ, ୱାର୍ଡ ସଭ୍ୟ ସଂଜୟ କୁମାର ପଣ୍ଡା ପ୍ରମୂଖ ଦାବୀ କରିଛନ୍ତି । ଏନେଇ ବିଆର୍ସିସି କରୁଣା କର ବାଗଙ୍କୁ ପଚାରିବାରୁ ଆମେ ଏହି ସ୍କୁଲର ସମସ୍ୟାକୁ ଉଚ୍ଚ ଅଧିକାରୀଙ୍କୁ ଜଣାଇଦେଇଅଛୁ । ଆଉ ଅନୁଷ୍ଠିତ ମାସିକ ବୈଠକରେ ମଧ୍ୟ ଅସୁରକ୍ଷିତ କୋଠା ଓ ମେଜର ରିପ୍ୟାର ବୋଲି ଜଣାଇ ଦିଆଯାଇଛି ଏବଂ ପଂଚାୟତକୁ ହସ୍ତାନ୍ତ କରାଯାଇଛି ବୋଲି କହିଥିଲେ ।