(ସରୋଜ/ମୃତ୍ୟୁଞ୍ଜୟ): ଝାରପଡ଼ା ଅଞ୍ଚଳରୁ ଜଣେ ଯୁବକର ମୃତଦେହ ଆଜି ସନ୍ଦେହଜନକ ଅବସ୍ଥାରେ ଲକ୍ଷ୍ମୀସାଗର ଥାନା ପୁଲିସ ଜବତ କରିଛି । ମୃତକ ଜଣକ ହେଲେ କାନପୁର ଅଞ୍ଚଳର ରାଜୁ ରାଠୋର (୪୦) । ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ ରାଜୁ ଦୀର୍ଘଦିନ ହେଲା ଚାକିରି ସନ୍ଧାନରେ କାନପୁରରୁ ଭୁବନେଶ୍ୱର ଚାଲି ଆସିଥିଲା । ଏଠାରେ ସେ ପରିବାର ଲୋକଙ୍କ ସହ ଝାରପଡା ଅଞ୍ଚଳରେ ରହୁଥିଲା । ପରେ ରାଜୁ କାଚ ବିକି ପରିବାର ଚଳାଉଥିଲା । ଗତ କିଛି ଦିନ ହେବ ପରିବାର କଳହକୁ କେନ୍ଦ୍ର କରି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି କାନପୁର ଚାଲିଯାଇଥିଲା । ଆଜି ସକାଳୁ ଝାରପଡା କଂସେଇଖାନା ନିକଟରେ ଥିବା ଏକ ପାଇପରେ ଜଣେ ବ୍ୟକ୍ତିର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ଲକ୍ଷ୍ମୀସାଗର ଥାନା ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।