(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱର୍କୁ ବେଢି ରହିଥିବା ଜବରଦଖଲ ଉଚ୍ଛେଦ ପରେ ଏବେ ପ୍ରଶାସନର ଫୋକସରେ ବେଳାଭୂମି । ବେଳାଭୂମିରେ ଥିବା ସମସ୍ତ ଜବରଦଖଲକୁ ଉଚ୍ଛେଦ କରିବାକୁ ପୁରୀ ତହସିଲ ପକ୍ଷରୁ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଏହି କାମରେ ଲାଗିଛି ୭ଟି ବୁଲଡୋଜର । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୪ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି ।
ସୂଚନା ଅନୁଯାୟୀ, ଲାଇଟ ହାଉସଠାରେ ଥିବା ଜବରଦଖଲ ଉଚ୍ଛେଦ ପାଇଁ ୪ ପ୍ଲାଟୁନ ପୁଲିସ ମୁତୟନରେ ୭ଟି ବୁଲଡୋଜର ନିୟୋଜିତ ହୋଇଛି । ଏଠାରେ ୧ ଏକର ୫୩ ଡିସମିଲ ଜାଗାରେ ଗଢିଉଠିଥିବା ଯାତ୍ରୀ ନିବାସ ଉଚ୍ଛେଦ ହେଉଛି । ଏହି ଯାତ୍ରୀ ନିବାସ ପାଇଁ ଜାଗା ସରକାରଙ୍କ ଠାରୁ ଲିଜରେ ନିଆଯାଇଥିଲା । କିନ୍ତୁ ଲିଜ ୨୦୧୪ରେ ଶେଷ ହୋଇ ଯାଇଛି । ଏଥିନେଇ ସରକାର ପକ୍ଷରୁ ନୋଟିସ ହୋଇଥିଲେ ମଧ୍ୟ ଏହାକୁ ଖାଲି କରାଯାଇନଥିଲା । ତେଣୁ ଆଜି ଏହି ଉଚ୍ଛେଦ ବେଳେ ଯାତ୍ରୀନିବାସର ସମସ୍ତ ଆସବାବ ପତ୍ରକୁ ଜବତ କରାଯାଇଛି । ସେଠାରେ ସରକାର ଏକ ପାର୍କିଂ ଜୋନ କରିବ । ଏହି ଉଚ୍ଛେଦ ସମୟରେ ଜିଲ୍ଲାପାଳ, ଉପଜିଲ୍ଲା ପାଳ, ମାଜିଷ୍ଟ୍ରଟ ଉପସ୍ଥିତ ଅଛନ୍ତି ।