(ମୃତ୍ୟୁଞ୍ଜୟ ଭୋଇ)ଭୁବନେଶ୍ୱର: ପୁଣି ବଢିଲା ସର୍ବକ୍ଷମା ଅବଧି । ଲୋକଙ୍କ ଭିଡ଼ ଓ ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନିଆଯାଇଛି । ଶେଷ ମୁହୂର୍ତ୍ତରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ହୋଇଥିଲେ ହେଁ, ୧୫ ଦିନ ପରେ ଆଉ ବିଆଇନ୍ ନିର୍ମାଣକାରୀଙ୍କୁ ମହଲତ ମିଳିବନି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଅନ୍ୟପଟେ ଆଗକୁ ମଧ୍ୟ ସର୍ବକ୍ଷମା ଅବଧି ବୃଦ୍ଧି କରାଯିବନି ବୋଲି ସ୍ପଷ୍ଟ କରିଛନ୍ତି ।
ପୂର୍ବରୁ ଫେବ୍ରୁଆରି ୫ ତାରିଖକୁ ଡେଡଲାଇନ୍ ଘୋଷଣା କରାଯାଇଥିଲା । ନିୟମ ଉଲ୍ଲଂଘନ କଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ ରାଜ୍ୟ ସରକାର । ଏପରିକି ଯେଉଁମାନେ ବେଆଇନ୍ ଭାବେ ନିର୍ମାଣ କରିଥିବା ଉଚ୍ଚ ଅଟ୍ଟାଳିକା ବା ପ୍ଲଟ୍ ଧାରୀ ସର୍ବକ୍ଷମାରେ ଆବେଦନ କରିନଥିବେ ତାଙ୍କ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଥିଲା। ହେଲେ ଏବେ ସର୍ବକ୍ଷମାକୁ ଆଉ ୧୫ ଦିନ ପାଇଁ ବଢ଼ାଇ ଦିଆଯାଇଛି।
ସହରାଞ୍ଚଳରେ ବିନା ଅନୁମୋଦନରେ ନିର୍ମାଣ ହୋଇଥିବା ଗୃହକୁ ଅନୁମୋଦନ କରିବା ପାଇଁ ରାଜ୍ୟ ସରକାର ୨୦୧୮ ଜୁନରେ ସର୍ବକ୍ଷମା ଯୋଜନା ଆଣିଥିଲେ । ତେବେ ଯୋଜନାଟି ଜଟିଳ ହୋଇଥିବାରୁ ଲୋକଙ୍କ ଆଦୃତି ଲାଭ କରିପାରି ନାହିଁ । ଆବଶ୍ୟକ ଅନୁମତି ନଥାଇ ହଜାର ହଜାର ଘର ନିର୍ମାଣ ହୋଇଥିଲେ ବି ସର୍ବକ୍ଷମା ଯୋଜନା ପାଇଁ ମାତ୍ର ୩ ହଜାର ୯ ଶହଟି ଆବେଦନ ସରକାରଙ୍କ ନିକଟରେ ପହଁଚିଛି ।