ପଟାଙ୍ଗି– କେସିନୋ ଗେମ୍ ହେଲା ଯୁବକଙ୍କ ପାଇଁ କାଳ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଅନଲାଇନ ଗେମକୁ ନେଇ ଏଭଳି ହତ୍ୟା ହୋଇଥିବାର ଜଣାପଡିଛି । କେସିନୋ ଅନଲାଇନ ଗେମ୍ ଦୁଇ ସାଙ୍ଗଙ୍କ ମଧ୍ୟରେ ଚାଲିଥିଲା । ୩ ଲକ୍ଷରୁ ଅଧିକ ଟଙ୍କା ହାରିଥିବା ଯୁବକ ଖେଳ ଜିତିଥବା ଯୁବକକୁ କରିଥିଲା ହତ୍ୟା । । ୨ ସୁପାରି କିଲର ଓ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାର, ବୁଲେଟ ଜବତ କରିଛି ପଟାଙ୍ଗି ପୋଲିସ ।ନଭେମ୍ବର ୩ ତାରିଖରେ ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରିଙ୍କ ମୃତଦେହ ପଟାଙ୍ଗି ବ୍ଳକ୍ର ଗଣେଶ ମନ୍ଦିର ପଛପଟୁ ଉଦ୍ଧାର ହୋଇଥିଲା । ପାରିପାଶ୍ୱର୍କ ସ୍ଥିତି ଦେଖି ପୁଲିସ ପ୍ରଥମରୁ ହତ୍ୟା ସନ୍ଦେହ କରୁଥିଲା । ଆଉ ଏବେ ଘଟଣା ଉପରୁ ପର୍ଦ୍ଦା ହଟିଛି । ଅନ ଲାଇନରେ କେସିନୋ ଗେମ୍ ଖେଳରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ମୃତ ବ୍ୟବସାୟୀ ଗଙ୍ଗା ଓ ଅଭିଯୁକ୍ତ ଅନିଲ ପାଢୀ ଉଭୟ ଅନଲାଇନ୍ ଗେମ୍ ଖେଳିଥିଲେ । ଏହି ଖେଳରେ ଗଙ୍ଗା ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜିତିଥିବା ବେଳେ ଅନିଲ ହାରି ଯାଇଥିଲେ । ଏବଂ ବାପାଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଆଣି ଗଙ୍ଗାକୁ ଦେଇଥିବା ବେଳେ ବାକି ଟଙ୍କା ଦେଇ ପାରିନଥିଲା ଅନିଲ । ଗଙ୍ଗା, ଅନିଲକୁ ବକେୟା ଟଙ୍କା ମାଗିବାରୁ ଅନିଲ ବିବ୍ରତ ହୋଇ ତାକୁ ରାସ୍ତାରୁ ହଟାଇ ବା ପାଇଁ ଏକ ଚକ୍ରାନ୍ତ କରିଥିଲା । ରାତାରାତି ମାଲାମାଲ ହେବା ପାଇଁ ଗଂଜେଇ କାରବାର କରିବା ପାଇଁ ଗଙ୍ଗାକୁ ପ୍ରଲୋଭନ ଦେଖାଇ ତା’ ଠାରୁ ୪୦ ହଜାର ଟଙ୍କା କରଜ ଆଣିଥିଲା ଅନିଲ । ଆଉ ସେହି ଟଙ୍କା ନେଇ ପାରଳାଖେମୁଣ୍ଡିର ସୁପାରି କିଲରଙ୍କ ସହ ଯୋଗାଯୋଗ କରିଥିଲା । ଗଙ୍ଗାକୁ ହତ୍ୟା କିରବା ପାଇଁ ଆଗୁଆ ୨୦ ହଜାର ଟଙ୍କା ମଧ୍ୟ ଦେଇଥିଲେ । ସେହି ଆଧାରରେ ଗଙ୍ଗା କୁ ହତ୍ୟା କରାଯାଇଥିଲା । ହତ୍ୟା ଘଟଣା ଅଧିକ ଦିନ ଲୁଚି ରହିପାରିଲା ନାହିଁ । ପୋଲିସର ତଦନ୍ତରେ ସବୁ କିଛି ସାମ୍ନାକୁ ଆସିଲା । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅନିଲ ପାଢ଼ି ସହ ସୁପାରି କିଲର ଗଣେଶ ରାହୁଳ ଓ ତାକୁ ସହେଯୋଗ କରିଥିବା ଅଜିତ ଖିଲକୁ ପୋଲିସ ଗିରଫ କରିଛି । ଏବେ ବି ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ପଟାଙ୍ଗୀ ପୋଲିସ ସନ୍ଧାନ କରୁଛି ।