(ମମତା ସାମଲ)ରିପୋର୍ଟସଟୁଡେ: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଜମ୍ମୁ କଶ୍ମୀର, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ରାଜସ୍ଥାନରେ ସୂର୍ୟ୍ୟର ପ୍ରକୋପ ଅସହ୍ୟ ହୋଇଯାଇଛି । ରାଜସ୍ଥାନରେ ଚଳିତ ଗ୍ରୀଷ୍ମଋତୁରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଶ୍ରୀଗଙ୍ଗାନଗରରେ ପାରା ପାଖାପାଖି ୫୦ ଡିଗ୍ରୀ ସେଲସିୟସ ପହଂଚିଛି ।
ଶ୍ରୀଗଙ୍ଗାନଗରରେ ମେ’ ମାସର ତାପମାତ୍ରା ୪୯.୬ ଡିଗ୍ରୀ ପହଂଚିବା ସହିତ ୭୫ ବର୍ଷର ରେକର୍ଡ ଅତିକ୍ରମ କରିଛି । ଚରୁରେ ତାପମାତ୍ରା ୪୮.୫ ଡିଗ୍ରୀ ସେଲସିୟସ ଏବଂ ବିକାନେରରେ ତାପମାତ୍ରା ୪୬.୬ ଡିଗ୍ରୀ ରେକର୍ଡ କରାଯାଇଛି । ଆଇଏମଡି କହିଛି, ହିମାଚଳ ପ୍ରଦେଶରେ ମଧ୍ୟ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଉନାରେ ପାରା ୪୪.୭ ଡିଗ୍ରୀ ପହଂଚିଛି ।
ରାଜଧାନୀ ନୂଆଦିଲ୍ଲୀରେ ଚଳିତ ଗ୍ରୀଷ୍ମଋତୁରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ରେଡ ଆଲର୍ଟ ଜାରି କରିବା ସହିତ ଚେତାବନୀ ଦେଇଛି । ପାଣିପାଗ ସଂପର୍କୀତ ତଥ୍ୟ ପ୍ରଦାନକାରୀ ସଂସ୍ଥା ‘ସ୍କାଏମେଟ’ ୱେଦର କହିଛି, ଦିଲ୍ଲୀର ଚାଣକ୍ୟପୁରୀ ଅଂଚଳରେ ଅଧିକ ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ କରାଯାଇଛି । ଆଇଏମଡି କହିଛି ଅଂଶୁଘାତର ପ୍ରକୋପ ଜୁନ ୨ ପର୍ୟ୍ୟନ୍ତ ଜାରି ରହିବ । ବଙ୍ଗୋପସାଗରରୁ ପୂର୍ବି ପବନ ଉତ୍ତର ପ୍ରଦେଶରେ ଅନୁଭୂତ ହୋଇନଥିବ, ସେତେଦିନ ଯାଏଁ ଦିଲ୍ଲୀରେ ତାପମାତ୍ରା ଜାରି ରହିବ ।