( ଭୁବନେଶ୍ୱର / ରିପୋର୍ଟସଟୁଡେ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ରିଟର୍ଣ୍ଣି ଅଫିସରଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ କ୍ରମାଗତ ପଞ୍ଚମ ଥର ହିଞ୍ଜିଳି ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ନାମାଙ୍କନ ବେଳେ ନବୀନ ନିଜର ସଂପତ୍ତି ତାଲିକା ଦେଇଛନ୍ତି। ତାଲିକା ମୁତାବକ ନବୀନଙ୍କ ପାଖରେ ନଗଦ ଅଛି ମାତ୍ର ୨୫ ହଜାର ଟଙ୍କା। ସେହିପରି ନବୀନଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ୨୩ ଲକ୍ଷ ୨୬ ହଜାର ଟଙ୍କା। ଫରିଦାବାଦରେ ୨୨.୭ ଏକର ଫାର୍ମ ରହିଛି। ଯାହାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ଟଙ୍କା।
ନାମାଙ୍କନ ପତ୍ର ଦାଖଲ ବେଳେ ନିଜ ସଂପତ୍ତି ତାଲିକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ପାଖରେ ନଗତ ଅଛି ମାତ୍ର ୨୫ ହଜାର ଟଙ୍କା। ଦିଲ୍ଲୀ ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରେ ରହିଛି ୬ ଲକ୍ଷ ୫୦ ହଜାର ଟଙ୍କା। ସେହି ପରି ଦିଲ୍ଲୀ ସଂସଦ ଭବନ ଏସବିଆଇ ଆକାଉଣ୍ଟରେ ୧୭୩୦ ଟଙ୍କା, ଭୁବନେଶ୍ଵର ସ୍ଥିତ ବାପୁଜୀନଗର ଏସବିଆଇରେ ଜମା ଅଛି ୧୪ ଲକ୍ଷ ୨୦ ହଜାର ଟଙ୍କା।
ଏହି ପରି ହିଞ୍ଜିଳି ଏସବିଆଇର ୨ଟି ଆକାଉଣ୍ଟରେ ୬୪୬୫ ଟଙ୍କା ଓ ୧ ହଜାର ଟଙ୍କା ରହିଛି। ନବୀନଙ୍କ ପାଖରେ ରହିଛି ୧୯୮୦ ମଡେଲର ଆମ୍ଵାସଡର ଯାହାର ମୂଲ୍ୟ ୮୯୦୫ ଟଙ୍କା। ପାଖରେ ୨ ଲକ୍ଷ ୧୨ ହଜାର ଟଙ୍କାର ଗହଣା ଓ ରତ୍ନ ପଥର ରହିଛି। ନବୀନଙ୍କ ମୋଟ୍ ସ୍ଥାବର ସଂପତ୍ତିର ମୂଲ୍ୟ ୨୩ ଲକ୍ଷ ୨୬ ହଜାର ଟଙ୍କା ରହିଥିବା ନାମାଙ୍କନ ପତ୍ରରୁ ଜଣା ପଡ଼ିଛି।
ଏହା ବାଦ୍ ଫରିଦାବାଦରେ ୨୨.୭ ଏକର ଫାର୍ମ ରହିଛି। ଯାହାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ଟଙ୍କା ରହିଛି। ୨.୧୩୩ ଏକର ଜମି ନବୀନ ନିବାସର, ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ। ଦିଲ୍ଲୀ ସ୍ଥିତ ଘରର ଅଂଶଧନ ମୂଲ୍ୟ ୬୩ କୋଟି ୬୪ ଲକ୍ଷ ରହିଛି। ତାଲିକା ମୁତାବକ ଭଉଣୀ ଗୀତାଙ୍କଠୁ ନବୀନ ଋଣ ଆକାରରେ ୧୫ ଲକ୍ଷ ଟଙ୍କା ନେଇଛନ୍ତି। ୨୦୧୭-୧୮ରେ ନବୀନଙ୍କ ମୋଟ୍ ଆୟ ହୋଇଛି ୨୧ ଲକ୍ଷ ୧୭ ହଜାର ଟଙ୍କା।