ସୂର୍ଯ୍ୟ ରଥଯାତ୍ରା ପାଇଁ ଅନନ୍ତ ଅବଧୁତ ମଠ ପକ୍ଷରୁ ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ

0

(ଜୟନ୍ତ କୁମାର ସେଠୀ/ଗୋପ): ଅର୍କକ୍ଷେତ୍ର ପୁରାଣ ପ୍ରସିଦ୍ଧ ସୂର୍ୟ୍ୟ ରଥଯାତ୍ରା ପାଇଁ ଅନନ୍ତ ଅବଧୁତ ମଠ ପକ୍ଷରୁ ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଛି । ଆସନ୍ତା ଜାନୁୟାରୀ ମାସ ୫ତାରିଖ ଶାମ୍ବଦଶମୀ ତିଥିରେ ସୂର୍ୟ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ୟ୍ୟ ରଥରେ ରଥାରୂଢ ହୋଇ ଚନ୍ଦ୍ରଭାଗା ଅଭିମୁୂଖେ ଯାତ୍ରା ଆରମ୍ଭ କରି ମାଘ ଶୁକ୍ଳ ସପ୍ତମୀ ତିଥି ଫେବୃୟାରୀ ୧ ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ । ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରୁ ଶାମ୍ବ ଦଶମୀ ତିଥୀର ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ଅଭିମୁଖେ ସୂର୍ୟ୍ୟରଥ ବାହାରି ସେହିଦିନ ଚନ୍ଦ୍ରଭାଗା ତୀର୍ଥ ନିକଟରେ ପହଞ୍ଚିବା ପରେ ତିର୍ଥ ପୁଷ୍କରଣୀରେ ସ୍ନାନ କରି ସେଠାରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମରେ ୨୭ଦିନ ଧରି ୨୭ଟି ନକ୍ଷତ୍ରରେ ସୂର୍ୟ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘସପ୍ତମୀ ପର୍ୟ୍ୟନ୍ତ କରାଯାଇଥଏ । ପବିତ୍ର ମାଘସପ୍ତମୀ ମେଳା ଦିନ ସୂର୍ୟ୍ୟ ରଥ ଅବଧୂତ ମଠକୁ ବାହୁଡ଼ିବ । ଶାମ୍ବଦଶମୀ ତିଥୀରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ଥାଏ ବୋଲି କପିଳସଂହିତାରେ ଉଲ୍ଲେଖ ଅଛି । ମୈତ୍ରେୟ ମୁନି ଭଗବାନ କୃଷ୍ଣଙ୍କର ଜଣେ ଶୁଭେଚ୍ଛୁ ଥିବା ଭାଗବତ କୁହେ । କୃଷ୍ଣ ନିଜର ପୁତ୍ର ଶାମ୍ବଙ୍କୁ କୁଷ୍ଠରୋଗରୁ ମୁକ୍ତି କରିବା ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ । ଶାମ୍ବ ସୂର୍ୟ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରିବା ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ । ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ମାନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁ ଥିଲେ । ଶାମ୍ବ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ୟ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ । ସମୟାନୁକ୍ରମେ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ଏହି ପରମ୍ପରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ଅବସ୍ଥାରେ ସୂର୍ୟ୍ୟ ମନ୍ଦିର ଭାଙ୍ଗି ଯିବାରୁ ପୂଜାର୍ଚ୍ଚନା ବନ୍ଦହେବା ସହିତ ସୂର୍ୟ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବା ମାଦଳା ପାଞ୍ଜିରୁ ସୂଚନା ମିଳେ । ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଅବଧୂତ ଆର୍ତ୍ତତ୍ରାଣ ଦାସ, ଅର୍କକ୍ଷେତ୍ରର ବିଶିଷ୍ଟ ଗବେଷକ ଡ଼ଃ ଉପେନ୍ଦ୍ରନାଥ ଭୋଳ, ଅର୍କଶ୍ରୀ ସମ୍ପାଦକ ଉମେଶ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ୧୯୯୮ ମସିହାରେ ଏହି ରଥଯାତ୍ରାର ପୁନଃ ପ୍ରଚଳନ ହୋଇଥିଲା । ଚଳିତ ବର୍ଷ ଶୌର ବ୍ରାହ୍ମଣ ପରିଷଦ ଓ ଅନନ୍ତ ଅବଧୂତ ମଠ ପକ୍ଷରୁ ସୂର୍ୟ୍ୟ ରଥଯାତ୍ରା ନିମନ୍ତେ ନୂତନ କରି ରଥ ନିର୍ମାଣ କାର୍ୟ୍ୟ ଜାରିରହିଛି । ଜାନୁୟାରୀ ମାସ ୪ ତାରିଖ ଅପରାହ୍ନ ୪.୩୦ରେ ନେତ୍ରୋତ୍ସବ ଓ ଭଜନ କୀର୍ତ୍ତନ ଅହରାତ୍ର ଅନୁଷତଠିତ ହେବ । ୫ ତାରିଖ ସକାଳ ୬.୨୪ରେ ରଥାରୁଢ଼ ମିତ୍ରାଦିତ୍ୟ ଓ ଉଦୟକାଳୀନ ସୂର୍ୟ୍ୟଙ୍କୁ କାକରା ଭୋଗ ସହିତ ଅର୍କବଟ ପୂଜା କରାଯିବା ପରେ ସକାଳ ୭ ଟାରେ ରଥର ପାଶ୍ୱର୍ ଦେବାଦେବୀ ଓ ସପ୍ତାଶ୍ୱଙ୍କୁ ୧୦୮ ବରାରେ ଭୋଗସହ ପୂଜାର୍ଚ୍ଚନା କରାଯାଇ ୭ଟା.୩୦ରେ ଅବଧୂତ ମଠରୁ ସୂର୍ୟ୍ୟଦେବଙ୍କର ଚନ୍ଦ୍ରଭାଗା ତୀର୍ଥକୁ ରଥଯାତ୍ରା ଆରମ୍ଭ କରାଯିବ ଏବଂ ୯ଟା.୩୦ରେ ମିତ୍ରାଦିତ୍ୟଙ୍କର ତୀର୍ଥ ସ୍ନାନ ପରେ ସେହିଠାରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେବ ବୋଲି ଅନନ୍ତ ଅବଧୂତ ମଠର ମହନ୍ତ ଆଦିତ୍ୟ ଚରଣ ଦାସ ସୂଚନା ଦେଇଛନ୍ତି । ଏହି ରଥ ଯାତ୍ରା ପାଇଁ ଶୌର ବ୍ରାହ୍ମଣ ପରିଷଦ, ଅବଧୂତୀ ସତୀର୍ଥ ସମାଜ, ଗୁରୁଚିନ୍ତନ ସେବା ସମାଜ, ଅର୍କକ୍ଷେତ୍ର ଗାୟତ୍ରୀ ପରିବାର, ମୈତ୍ରୀବନ ସେବା ସଂଘ ଓ ଚନ୍ଦ୍ରଭାଗା ଗଣେଶ କମିଟି ପକ୍ଷରୁ ସହଯୋଗର ହାତ ବଢାଇଛନ୍ତି ।