ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଅଟଳ ରୋହତଙ୍ଗ ସୁଡ଼ଙ୍ଗ କାର୍ଯ୍ୟ ଶେଷ ହୋଇଛି । ସୁଡ଼ଙ୍ଗର ନାମକରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ କରାଯାଇଛି । ହିମାଚଳ ପ୍ରଦେଶ ରୋହତଙ୍ଗ ପାସ୍ ତଳେ ନିମିର୍ତତ ଏହି ସୁଡଙ୍ଗ ସୁରକ୍ଷା ଦୃଷ୍ଟିକୋଣରୁ ମହତ୍ୱ ବହନ କରୁଛି । ଏହାକୁ ସୀମା ସଡକ ସଂଗଠନ ଦ୍ୱାରା ସମ୍ପୂର୍ଣ ଭାବେ ତିଆରି କରାଯାଇଛି । ସେପ୍ଟେମ୍ବର ଶେଷ ଭାଗରେ ଏହାକୁ ଉଦ୍ଘାଟନ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଏହି ସୁଡ଼ଙ୍ଗ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ୧୦ ହଜାର ୧୭୧ ଫୁଟ ଉଚ୍ଚରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ସୁଡଙ୍ଗକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି ।
ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହା ପାଖାପାଖି ୮.୮ କିମି ଲମ୍ବ । ଏହାର ଦୈର୍ଘ୍ୟ ୧୦ ମିଟର । ଏହି ସୁଡ଼ଙ୍ଗ ଦ୍ୱାରା ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିମି କମ ହୋଇଯିବ । ବର୍ତ୍ତମାନ ମନାଲିରୁ ଲାହୌଲ୍ ଘାଟି ଯାଏଁ ଯାତ୍ରା କରିବାକୁ ୫ ଘଣ୍ଟା ସମୟ ଲାଗୁଥିଲା ତାହା ଏବେ ୧୦ ମିନିଟରେ ପୁରା ହେବ । ଏହା ସୈନ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ମହତ୍ଵପୁର୍ଣ । ଏହି ସୁଡ଼ଙ୍ଗ ଯୋଗୁଁ ଲଦାଖରେ ନିୟୋଜିତ ଭାରତୀୟ ସେନା ଅଧିକ ଲାଭବାନ ହେବେ । ଏହା ସହିତ ଶୀତଦିନେ ମଧ୍ୟ ଅସ୍ତ୍ରଶସ୍ତ୍ର ଏବଂ ଲଜିଷ୍ଟିକ୍ ସାମଗ୍ରୀ ସହଜରେ ଯୋଗାଇ ଦିଆଯିବ । ଏହି ମାର୍ଗ ଲଦାଖରେ ସେନା ସାମଗ୍ରୀ ଯୋଗାଇବାରେ ମଧ୍ୟ ସକ୍ଷମ ହେବ ।