ସୋନିଆ ରହିବେ ଅନ୍ତରୀଣ ଅଧ୍ୟକ୍ଷ

0

ନୂଆଦିଲ୍ଲୀ: ଦଳର ସାଙ୍ଗଠନିକ, କ୍ଷମତା ବିକେନ୍ଦ୍ରୀକରଣ ଏବଂ ନୂତନ ସଭାପତି ପ୍ରସଙ୍ଗକୁ ନେଇ ସାତ ଘଣ୍ଟା ଧରି  କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସମାପ୍ତ  ହୋଇଛି। ସୋନିଆ ଗାନ୍ଧୀ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ଦଳର ଅନ୍ତରୀଣ ସଭାପତି ପଦ ସମ୍ଭାଳିବେ। ଏହା ସହିତ ଆଗାମୀ ଛଅ ମାସ ଭିତରେ ପାର୍ଟିକୁ ନୂତନ ଅଧ୍ୟକ୍ଷ ଚୟନ କରିବାକୁ ପଡିବ। ଏହା ପୂର୍ବରୁ ବୈଠକରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଦଳରେ ଝଡ ସୃଷ୍ଟି ହୋଇଥିଲା। କଂଗ୍ରେସର କାର୍ଯ୍ୟକାରିଣୀ କମିଟି ସୋନିଆଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ଵ ଦେବାକୁ କହିଥିଲେ ହେଲେ ରାହୁଲ ଓ ପ୍ରିୟଙ୍କା ଛଅ ମାସ ଭିତରେ ଦଳର ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ।

ଆଜିର ବୈଠକରେ ପ୍ରାୟତଃ ସମସ୍ତ ନେତା ରାହୁଲ ଗାନ୍ଧୀଙ୍କୁ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କରିବାକୁ ଦାବି କରିଥିଲେ। ବରିଷ୍ଠ ନେତା ଜିତେନ୍ଦ୍ର ସିଂହ ଦଳର ସାଂଗଠନିକ ପରିବର୍ତ୍ତନ ଦାବି କରିଥିଲେ। ବୈଠକରେ ବରିଷ୍ଠ ନେତା ଅହମ୍ମଦ ପଟେଲ ଆନନ୍ଦ ଶର୍ମାଙ୍କ ଉପରେ ଚିଠିର ଡ୍ରାଫ୍ଟ ତିଆରି କରିବା ଅଭିଯୋଗ କରିଥିଲେ। ଅପରପକ୍ଷେ ଭୂପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି ଦଳରେ ସମସ୍ତଙ୍କ କଥା ଶୁଣାଯିବା ଉଚିତ୍।

ସୋମବାର  ଆୟୋଜିତ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। କଂଗ୍ରେସର ନୂତନ ଅଧ୍ୟକ୍ଷ ଚୟନ ନେଇ  ବୈଠକରେ ପାର୍ଟି ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଥିଲା। ଗୋଟିଏ ପଟେ ରାହୁଲ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ଵକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକଙ୍କୁ ବିଜେପି ସହିତ ମିଶିଥିବା ସଙ୍ଗୀନ ଅଭିଯୋଗ କରିଥିଲେ। ଯେଉଁଥିରେ ବରିଷ୍ଠ ନେତା ଗୁଲାମ ନବି ଆଜାଦ ଓ କପିଲ ସିବଲ ଖପ୍ପା ହୋଇଥିଲେ। ଏପରିକି ଗୁଲାମ ନବି ଆଜାଦ ବିଜେପି ସହିତ ସଂପର୍କ ଥିବା  ସାବ୍ୟସ୍ତ କଲେ ଦଳରୁ ଇସ୍ତଫା ଦେଇ ଦେବେ ବୋଲି ମଧ୍ୟ କହିଥିଲେ।

ଏହା ବ୍ୟତୀତ କପିଲ ସିବଲ ମଧ୍ୟ ଆରୋପକୁ ନେଇ ଟ୍ଵିଟ୍‌ କରି ନିଜର ଦୁଃଖ ବ୍ୟକ୍ତ କରିଥିଲେ। ପରେ ଉଭୟ ନେତା ସଫେଇ ଦେଇ ସ୍ଥିତିକୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ। ଉଭୟ ନେତା କହିଥିଲେ ଯେ ରାହୁଲ ଗାନ୍ଧୀ ବିଜେପି ସହିତ କଂଗ୍ରେସ ନେତାଙ୍କ ଲିଙ୍କ ଥିବା ପରି କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଏହା ପରେ ଯାଇ କଂଗ୍ରେସରେ ଆଜି ଦେଖା ଦେଇଥିବା ଝଡ ଶାନ୍ତ ପଡିଥିଲା। ଏହା ପୂର୍ବରୁ ସୋନିଆ ଗାନ୍ଧୀ ସୋମବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପଦ ଅଧ୍ୟକ୍ଷ ପଦ ଛାଡିବା ଏବଂ ନୂତନ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଉ ବୋଲି କହିଥିଲେ।