ଉତ୍ତରାଖଣ୍ଡ: ଲଗାଣ ବର୍ଷା କାରଣରୁ ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ପରି ବନ୍ୟା ସ୍ଥିତି ସୃଷ୍ଟି ହେଉଛି । ଏହାରି ଭିତରେ ପୁଣି ସୋମବାର ଉତ୍ତରାଖଣ୍ଡର ନୂଆ ତେହେରୀ ଜିଲ୍ଲାର ଚାମ୍ବାରେ ଭୂସ୍ଖଳନ ହେବାରୁ ୪ମାସର ଜଣେ ଶିଶୁ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି । ଚାମ୍ବା ପୋଲିସ ଷ୍ଟେସନ ନିକଟ ଟ୍ୟାକ୍ସି ଷ୍ଟାଣ୍ଡ ଠାରେ ଏହି ଭୂସ୍ଖଳନ ହୋଇଛି । ୪ଜଣଙ୍କ ମୃତଦେହ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଇଥିବା ବେଳେ ବିଳମ୍ବିତ ରାତିରେ ଅନ୍ୟ ଏକ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ହେଲେ ପୁଣାମ ଖଣ୍ଡୁରୀ, ଚାରି ମାସର ଶିଶୁ ପୁତ୍ର ସରଭେଲ ,ଭଉଣୀ ସରସ୍ୱତୀ ଦେବୀ ଏବଂ ବିନୋଦ ପ୍ରସାଦ ରତୁରୀ । ଅନ୍ୟଜଣେ ମୃତକ ହେଉଛନ୍ତି ଥାଲଧର ବ୍ଲକର ବରଗାନି ଗ୍ରାମର ନିବାସୀ ସୋହାନ ସିଂ ରାୱତ । ସୋହାନ ସିଂ ଏକ ଅନଲାଇନ କମ୍ପାନୀରେ ଡେଲିଭରୀ ବଏ ଭାବେ କାମ କରୁଥିବା ଜଣାପଡିଛି । ତେବେ ପ୍ରଶାସନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏହି ଭୂସ୍ଖଳନରେ ପାହାଡରୁ ପଥର ଖସି କାର୍, ସ୍କୁଟି ଓ ବାଇକ ସବୁ ପୋତି ହୋଇ ରହିଥିଲା । ସେଠାରେ ଥିବା ସର୍ବସାଧାରଣ ଶୌଚାଳୟ ମଧ୍ୟ ନଷ୍ଟ ହୋଇଯାଇଛି । ଏହି ସ୍ଥାନକୁ ସଫା କରିବା ପାଇଁ ୬ଟି ଜେସିବି ମେସିନ, ଡୋଜରକୁ ନିୟୋଜିତ କରାଯାଇଛି । ଅନ୍ୟପଟେ ଭୂସ୍ଖଳନ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପୋଲିସ ଷ୍ଟେସନ ନିକଟରେ ଥିବା ଚାରଟି ଘରକୁ କେତେକ ପରିବାରକୁ ସ୍ଥାନାନ୍ତର କରିଛି ।