(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ) : ବାତ୍ୟା ଫନିରେ ଭାଙ୍ଗି ଯାଇଥିବା ରାଜଧାନୀର ୨୦୦ଟି ସ୍ମାର୍ଟ ବସ୍ ଷ୍ଟପ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। ପ୍ରଥମ ପର୍ୟ୍ୟାୟରେ ୫୩ଟି ବସ୍ ଷ୍ଟପର ମରାମତି ଶେଷ ହୋଇଥିବାବେଳେ ଏଥିରୁ ଗୋଟିକରେ ରୁଟ୍ ଚାର୍ଟ ଲାଗିଛି। ଖୁବ୍ ଶୀଘ୍ର ଏହାର ଆଲୋକୀକରଣ କରାଯିବା ସହ ଡିସ୍ପ୍ଲେ ବୋର୍ଡ ଲଗାଯିବ।
କ୍ରୁଟ୍ର ଜଣେ ଅଧିକାରୀ କହିଛନ୍ତି ଯେ, ଏବେ ଜନପଥରେ ଶିଶୁ ଭବନରୁ ବାଣୀବିହାର, ସଚିବାଳୟ ମାର୍ଗ, ବିମାନବନ୍ଦରରୁ ନନ୍ଦନକାନନ ରାସ୍ତା ଆଦିରେ ଥିବା ବସ୍ ଷ୍ଟପ ଗୁଡ଼ିକର ମରାମତି କରାଯିବ। ଏଥିପାଇଁ ଆବଶ୍ୟକୀୟ ଅର୍ଥ ରାଜ୍ୟ ସରକାର କ୍ରୁଟ୍କୁ ଦେଇଛନ୍ତି। ଦ୍ବିତୀୟ ପର୍ୟ୍ୟାୟରେ ଅର୍ଥ ମିଳିଲେ ବାକି ବସ୍ ଷ୍ଟପ୍ କାମ ଆରମ୍ଭ ହେବ। ଏବେ ଯେତିକି ବସ୍ଷ୍ଟପ୍ କାମ ଶେଷ ହେବ ସେଥିରେ ଓଡ଼ିଆ ଓ ଇଂରାଜୀରେ ରୁଟ୍ ଚାର୍ଟ ଲାଗିବ।ସୂଚନାଯୋଗ୍ୟ ଯେ, ହକି ବିଶ୍ବକପ୍ ପୂର୍ବରୁ ରାଜଧାନୀରେ ୨୦୦ଟି ସ୍ମାର୍ଟ ବସ୍ ଷ୍ଟପ୍ ନିର୍ମାଣ ହୋଇଥିଲା। ହେଲେ ବାତ୍ୟାରେ ସବୁ ବସ୍ଷ୍ଟପ୍ କ୍ଷତିଗ୍ରସ୍ତ ହୋଇଥିଲା। ଏହାର ମରାମତି ପାଇଁ ପ୍ରାୟ ୨୩କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା।