(ହର ପ୍ରସାଦ ବିଶୋଇ)ଭୁବନେଶ୍ୱର: ଅଗଷ୍ଟ ୯ ତାରିଖରେ ଭାରତ ଛାଡ଼ ଆନ୍ଦୋଳନର ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଆର୍ଟ ହୋମ ଉତ୍ସବରେ ଯୋଗ ଦେଇଥିବା ଓଡ଼ିଶାର ୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସ୍ୱାଧୀନତା ସଂଗ୍ରାମୀ ହେଲେ ନୟାଗଡ଼ ଜିଲ୍ଲାର ସହଦେବ ବେହେରା ଓ ଯାଜପୁର ଜିଲ୍ଲାର ନୀଳମଣି ସାମଲ । ଏହି ସଂଗ୍ରାମୀ ଦ୍ୱୟଙ୍କୁ ମୁଖ୍ୟମନ୍ତ୍ରୀ ସାଲ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ଆସନ୍ତାକାଲି ସେମାନେ ବିମାନ ଯୋଗେ ନୁଆଦିଲ୍ଲୀ ଯିବେ । ସେମାନଙ୍କ ସହାୟତା ପାଇଁ ୨ ଜଣ ସରକାରୀ ଅଧିକାରୀ ମଧ୍ୟ ଦିଲ୍ଲୀ ଯିବେ ।
ସୂଚନାଯୋଗ୍ୟ ଯେ ୯୬ ବର୍ଷ ବୟସ୍କ ସଂଗ୍ରାମୀ ଶ୍ରୀ ସହଦେବ ବେହେରା ,ନୟାଗଡ଼ କଣ୍ଟିଲୋ ଠାରେ ୧୯୨୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୩୮ ମସିହାରେ ଶ୍ରୀ ବେହେରା ଦେଶୀୟ ରାଜା ମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଜନସାଧାରଣଙ୍କ ନେତୃତ୍ୟ ନେଇଥିଲେ । ୧୯୪୨ ମସିହାରେ ସେ ଭାରତଛାଡ଼ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ।
୯୦ ବର୍ଷ ବୟସ୍କ ଶ୍ରୀ ନୀଳମଣି ସାମଲ ଯାଜପୁର ଜିଲ୍ଲାର ବାଲିପଡ଼ିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୨ ମସିହା ଭାରତଛାଡ଼ ଆନ୍ଦୋଳନରେ ସେ ଯୋଗ ଦେଇଥିଲେ । ତେଣୁ ସେ ବିଭିନ୍ନ ସମାଜସେବାରେ ନିୟୋଜିତ ଥିଲେ ।