(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ):ରାଜ୍ୟର ହକି ଖେଳାଳିଙ୍କୁ ଅଣଦେଖା କରାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ଦୂତୀଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯିବାକୁ ଶ୍ରୀମତି ଟେଟେ ସ୍ୱାଗତ କରିଛନ୍ତି, କିନ୍ତୁ ହକିର ଅନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ହକି ଖେଳାଳିଙ୍କୁ କାହିଁକି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଗଲା ନାହିଁ, ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାରୁ କେବଳ ସୁନ୍ଦରଗଡ଼ ଖେଳାଳିଙ୍କ ହିଁ ଜାତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି।ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହା ସତ୍ତ୍ୱେ ରାଜ୍ୟ ସରକାର କେମିତି ସେମାନଙ୍କ ନାଁ ସୁପାରିସ୍ କରିବାକୁ ଭୁଲିଗଲେ, ତାହା ମୋତେ ଆଶ୍ଚର୍ୟ୍ୟ କରିଛି। ଏମିତି ଲଗାତର ଅଣଦେଖା କରିବା ନିଶ୍ଚିତ ଦୁଃଖର ବିଷୟ। କିନ୍ତୁ ଏହା ବିରୋଧରେ ମୁଁ ବିଧାନସଭାରେ ନିଶ୍ଚୟ ସ୍ୱର ଉଠାଇବି। ଆବଶ୍ୟକ ପଡ଼ିଲେ ମୁଁ ଏହା ବିଧାନସଭାରେ ଧାରଣାରେ ବସିବେ ବୋଲି କହିଛନ୍ତି।ଶ୍ରୀମତୀ ଟେଟେଙ୍କ ବ୍ୟତୀତ ପୂର୍ବତନ ହକି ଖେଳାଳି ବାର୍ଥଲୋମି କେର୍କେଟା, ଜେମ୍ସ କୁଜୁର, ରଜତ ମିଞ୍ଜ, ବରିଷ୍ଠ ହକି କୋଚ୍ ସିଲଭେଷ୍ଟର୍ ଟପ୍ପୋ ମଧ୍ୟ ରାଜ୍ୟ ହକି ଖେଳାଳିଙ୍କ ପ୍ରତି ହେଉଥିବା ଅଣଦେଖାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି।ଓଡ଼ିଶାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ହକି ପ୍ରତି ଓଡ଼ିଶା ସରକାରଙ୍କ ପାତର ଅନ୍ତର ଥିବା କୁହାଯାଉଛି। ବିଗତ ଦୁଇତିନି ବର୍ଷ ହେବ ହକିର ସବୁ ବଡ଼ ବଡ଼ ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମକୁ ଆଗ ପ୍ରାଧାନ୍ୟ ଦିଆଯାଉଛି। ଏପରିକି ନିକଟରେ ହକି ବିଶ୍ୱକପ୍, ହକି ୱାର୍ଲ୍ଡ ଲିଗ୍, ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଭଳି ବଡ଼ ଇଭେଣ୍ଟକୁ ଆୟୋଜନ କରି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ଛାପ ଛାଡ଼ିବାରେ ସଫଳ ହୋଇଛି।