(ଦୀପକ ମିଶ୍ର /ଉଦଳା)ରିପୋର୍ଟସଟୁଡେ: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଅନୁଷ୍ଠିତ । ଏହି ଶୈବପୀଠର କିଛି ନିଆରା ପରମ୍ପରା ରହିଛି । ଏହି ପୀଠରେ ଝରଣା ପାଣିରେ ବୁଡି ରହିଛନ୍ତି ୫ଗୋଟି ଶିବଲିଙ୍ଗ । ଯାହାକୁ ସ୍ପର୍ଶ କରିଲେ ସବୁ ଆଶା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଶ୍ରାବଣ ମାସରେ କିଭଳି ଚାଲିଛି କାଉଡିଆଙ୍କ ଯାତ୍ରା ତାହା ଜାଣିବାକୁ ଆମେ ପହଞ୍ଚିଥିଲୁ ଏହି ଶୈବପୀଠରେ । କାନ୍ଧରେ ବାହୁଙ୍ଗି,ବାହୁଙ୍ଗିରେ ମହାଦେବଙ୍କ ଉଦ୍ଦେଶ୍ୟରେ ଭର୍ତ୍ତି ହୋଇଛି ଜଳ । ଦୁଇ ଦିନ ଓପାସ କରିବା ପରେ କାଉଡିଆମାନେ ମନରେ ଅନେକ ମନସ୍କାମନା ନେଇ ବାହାରିଛନ୍ତି ଏହି ପୀଠକୁ । ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଲାଗିଛି ହଜାର ହଜାର କାଉଡିଆଙ୍କ ଭିଡ । ଝରଣାରେ ପଞ୍ଚଶିବଲିଙ୍ଗକୁ ସ୍ପର୍ଶ କରିବା ସହିତ ମହାଦେବଙ୍କ ଉପରେ ପାଣି ଢାଳି ନିଜର ମନସ୍କାମନା ପୂରଣ କରିଥାନ୍ତି । ମହାଦେବଙ୍କୁ ପୂଜା କରିବା ପରେ ଫେରିଥାନ୍ତି କାଉଡିଆ । କେବଳ ବାଲେଶ୍ୱର ନୁହେଁ ମୟୂରଭଞ୍ଜ,ଭଦ୍ରକ,ଯାଜପୁର,କେନ୍ଦୁଝର ସମେତ ରାଜ୍ୟ ବାହାରୁ ତଥା ପଡୋଶୀ ପଶ୍ଚିମବଙ୍ଗରୁ ମଧ୍ୟ କାଉଡିଆମାନେ ଏହି ପୀଠକୁ ପାଣି ଢାଳିବା ନିମନ୍ତେ ଆସିଥିବା ଦେଖିବାକୁ ମିଳିଛି । ଉଭୟ ପୁରୁଷ ଏବଂ ମହିଳା କାଉଡିଆ ଏହିଠାରେ ଶିବଲିଙ୍ଗ ଉପରେ ପାଣି ଢାଳୁଥିବା ଦେଖିବାକୁ ମିଳିଛି । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।