ଢାକା: ବାଙ୍ଗଲାଦେଶର ଅନ୍ତରୀଣ ସରକାରର ସ୍ୱରାଷ୍ଟ୍ର ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ଏମ ସଖାବତ ହୁସେନ ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କୁ ସ୍ୱଦେଶ ଫେରିବାକୁ ଅପିଲ କରିଛନ୍ତି । ବର୍ତ୍ତମାନ ହସିନା ଭାରତରେ ଅବସ୍ଥାନ କରୁଛନ୍ତି । ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ କହିବା ସହ କୌଣସି ହଙ୍ଗାମା ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ହୁସେନ । ଦେଶରେ ହିଂସା ସ୍ଥିତି ଉଗ୍ର ହେବା ଆଶଙ୍କା କରି ସେ ଏପରି ପରାମର୍ଶ ଦେଇଛନ୍ତି ।
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ହୁସେନ କହିଛନ୍ତି କି, ଆପଣ ନିଜେ ଗଲେ । ଆପଣଙ୍କୁ ନିଜ ଦେଶକୁ ଫେରି ଆସିବା ଉଚିତ । ଦେଶକୁ ଅରାଜକତା ଆଡକୁ ପେଲି ନ ଦେବାକୁ କହିଛନ୍ତି ହୁସେନ । ଏଥିସହ ନୂଆ ନେତାଙ୍କୁ ନେଇ ପୁଣି ନିଜ ଦଳ ଗଢନ୍ତୁ ମଧ୍ୟ କହିଛନ୍ତି ସ୍ୱରାଷ୍ଟ୍ର ପରାମର୍ଶଦାତା ।
ଗତ ସପ୍ତାହରେ ବାଙ୍ଗଲାଦେଶରେ ହିଂସା ବ୍ୟାପିବା ପରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଓ ଏବେ ଭାରତ ଶରଣରେ ଅଛନ୍ତି । ସେ ବ୍ରିଟେନ ଚାଲିଯିବାକୁ ଚାହିଁଥିଲେ । କିନ୍ତୁ ବ୍ରିଟେନ ସରକାର ତରଫରୁ ଏଥିପାଇଁ ତାଙ୍କୁ ଅନୁମତି ମିଳି ନ ଥିଲା । ତେଣୁ ସେ ଭାରତ ସରକାରର ସହାୟତା ଲୋଡିଥିଲେ । ଆଉ ମୋଦି ସରକାର ଅତିଥି ଦେବୋ ଭବ ନୀତିରେ ବାଙ୍ଗଲାଦେଶ ସହ ସମ୍ପର୍କରେ ତୀକ୍ତତା ଆସିବା ଆଶଙ୍କା ସତ୍ତେ୍ୱ ତାଙ୍କୁ ଆଶ୍ରୟ ଦେଇଛି ।