(ଶିଳାସ୍ମିତା ରାୟ)ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଓ ଆଗାମୀ ନିର୍ବାଚନ ପାଇଁ ନବୀନଙ୍କ ଆଶା ଓ ଭରସା କୁହାଯାଉଥିବା ‘କାଳିଆ’ ଯୋଜନା ହାଇକୋର୍ଟରେ ପହଂଚିଛି । ଏହି ଯୋଜନାରେ ବେଆଇନ ଭାବେ ଅର୍ଥ ପ୍ରଦାନକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ଏଥିନେଇ କୋର୍ଟ ସରକାରକୁ ଜବାବ ମାଗିଥିବା ସୂଚନା ମିଳୁଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ବୈତରଣୀ ପାର କରିବା ଲକ୍ଷ୍ୟରେ ଆରମ୍ଭ କଲେ କାଳିଆ ଯୋଜନା । ଯୋଜନା ଅନୁଯାୟୀ କୃଷକଙ୍କ ଆକାଣ୍ଟକୁ ସରକାରଙ୍କ ତରଫରୁ ୫ଟି କିସ୍ତିରେ ୫ ଥରରେ ମୋଟ ୨୫ ହଜାର ଟଙ୍କା ଦିଆଯିବ । ଏହି ଯୋଜନାରେ ପ୍ରାୟ ୩୦ ଲକ୍ଷ କୃଷକ ପରିବାର ଉପକୃତ ହେବେ ।
କିନ୍ତୁ ଏହି ଟଙ୍କା କେଉଁଠୁ ଆସିବ ତାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଗତ ବଜେଟରେ ରାଜ୍ୟ ସରକାର ଏନେଇ କୌଣସି ଅର୍ଥରାଶିର ସୂଚନା ଦେଇ ନ ଥିଲେ । ତେଣୁ ଖୋଲତାଡ ଆରମ୍ଭ ହେଲା । ତେବେ ଏହି ଅର୍ଥ ସରକାରଙ୍କ ଆକସ୍ମିକ ବିପର୍ୟ୍ୟୟ ପାଣ୍ଠିରୁ ବିନିଯୋଗ ହେବା ନେଇ ଜଣ। ପଡିଥିଲା । ଏହା ପରେ ଆରମ୍ଭ ହେଲା ବିରୋଧ ଓ ପ୍ରତିବାଦ ।
ରାଜ୍ୟ ସରକାର ପ୍ରତି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଅର୍ଥାଭାବ ଦର୍ଶାଇ କେନ୍ଦ୍ର ଉପରେ ବୋଝ ଲଦିବା ସହ ଟଙ୍କା ଦାବି କରୁଛନ୍ତି । କିନ୍ତୁ ସେହି ପାଣ୍ଠିରୁ ବେଆଇନ ଭାବେ କାଳିଆ ଯୋଜନା କରି ଭୋଟରଙ୍କୁ ହାତେଇବା ପ୍ରୟାସକୁ ନେଇ ତେଜିଲେ ବିରୋଧୀ ଓ ବିଶେଷଜ୍ଞଗଣ । ଶେଷରେ ଆଜି କାଳିଆ ଯୋଜନାକୁ ଟଣାଗଲା ହାଇକୋର୍ଟକୁ । କୋର୍ଟ ଏନେଇ ରାଜ୍ୟ ସରକାରଙ୍କ ଜବାବ ତଲବ କରିଛନ୍ତି । ଏଥିସହ ମୁଖ୍ୟ ଶାସନ ସଚିବ ଓ କୃଷି ସଚିବ, ଅର୍ଥ ସଚିବଙ୍କୁ ଏହି ଯୋଜନାରେ ଅର୍ଥ ପ୍ରଦାନ ନେଇ ଚାରି ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ହୋଇଛି ।