(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲାକୁ ସଂକ୍ରମଣକୁ ମୂଳ ପୋଛ ଜିଲ୍ଲା ଭାବେ ପରିଗଣିତ କରିବା ସକାଶେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଗତ କିଛି ଦିନ ଧରି ଶୀତ ଲହରୀ ଦେଖା ଦେଇଥିବାରୁ କରୋନା ଲେଉଟାଣୀ ସଂକ୍ରମଣ ନେଇ ସ୍କ୍ରିନିଂ ଅବ୍ୟାହତ ରହିଛି । ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଦେଖା ଦେଉଥିବାରୁ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଡ଼ାକବାଜି ଯନ୍ତ୍ର ସହାୟତାରେ ସମସ୍ତ ପ୍ରକାର କୋଭିଡ଼ କଟକଣାକୁ ମାନି ଚଳିବା ସକାଶେ ସହରବାସୀଙ୍କୁ ଅନୁରୋଧ କରାଯାଉଛି । ବିନା ମାସ୍କରେ ଘରୁ ବାହାରକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ତେବେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ପୌର କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ତତ୍ୱାବଧାନରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । କୋଭିଡ଼ ସଚେତନତା ରଥ ସହର ପରିକ୍ରମା କରିବା ସହ ସ୍ଥାନୀୟ ପୌରାଂଚଳର ସମସ୍ତ ୱାର୍ଡ଼ ପରିଭ୍ରମଣ କରି ମୁଁ ମାସ୍କ ପିନ୍ଧିବି, ମୁଁ ବାରମ୍ବାର ସାବୁନରେ ହାତକୁ ଧୋଇବି, ସାମାଜିକ ଦୂରତ୍ୱ ରକ୍ଷା କରିବି, ମୋର ପରିବେଷ ପରିସ୍କାର ରଖିବି ଏବଂ ଶୁଖିଲା ଓ ଓଦା ବର୍ୟ୍ୟବସ୍ତୁକୁ ପୃଥକ କରି ସଫା ଗାଡ଼ିରେ ଜମା ଦେବି ବୋଲି ଶପଥ ଗ୍ରହଣ କରିବା ସହ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ।