(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ମୟୂରଭଞ୍ଜ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ଡ୍ରାଇଭର ଗୁରୁବାର ରାତିରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଅଟକ ଅଛନ୍ତି । ଏ ନେଇ ବାରିପଦା ସଦର ଥାନା ଅଧିକାରୀ ସ୍ବର୍ଣ୍ଣାଲତା ମିଞ୍ଜ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୧୦ଟାରେ ଆର୍ଟିଓଙ୍କ ସରକାରୀ ଗାଡ଼ି ଡ୍ରାଇଭର ବାରିପଦା ସହର ଉପକଣ୍ଠ ତଥା ଜାତୀୟ ରାଜପଥର ଦାମୋଦରପୁର ଛକଠାରେ ଏକ ଟ୍ରକକୁ ଅଟକାଇଥିଲେ। ତାଙ୍କ ସହ ଆଞ୍ଚଳିକ ପରିବହନ ବିଭାଗର କୌଣସି ଅଧିକାରୀ ନ ଥିବା ବେଳେ ଡ୍ରାଇଭର ଏକା ଥିଲେ। ଟ୍ରକ ଡ୍ରାଇଭରଙ୍କ ଠାରୁ ମୋବାଇଲ ଓ ବିଭିନ୍ନ କାଗଜପତ୍ର ଛଡାଇ ନେବା ସହ ଟଙ୍କା ଦାବି କରିଥିଲେ। ଏ ନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆର୍ଟିଓ ଗାଡ଼ି ଡ୍ରାଇଭରଙ୍କୁ ଥାନାକୁ ନେଇଥିଲେ। ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ଥାନା ଅଧିକାରୀ ମିଞ୍ଜ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଆର୍ଟିଓଙ୍କର ଏହା ସରକାରୀ ଗାଡ଼ି ହୋଇ ନ ଥିବା ବେଳେ ବେସରକାରୀ ଭାବେ କାର୍ୟ୍ୟାଳୟରେ ଏହି ଗାଡି ଲାଗିଥିବା ଜଣାପଡ଼ିଛି। ଏଥିସହ ଡ୍ରାଇଭର ମଧ୍ୟ ବେସରକାରୀ ଭାବେ ଗାଡ଼ିରେ ନିୟୋଜିତ ଅଛନ୍ତି।