୧୦୬ ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ

0

(ସରୋଜ/ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଗତକାଲି ନବୀନ ପଟ୍ଟନାୟକ ରାଜ୍ୟର କ୍ରମାଗତ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ସହିତ ତାଙ୍କର ମନ୍ତ୍ରିପରିଷଦର ସଦସ୍ୟ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଏହା ପରେ ଆଜିଠାରୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କ ସମେତ ନବ ନିର୍ବାଚିତ ବିଧାୟକ ଓ ବିଧାୟିକାମାନେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ଗୃହର ସମସ୍ତ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମେତ ୧୦୬ ଜଣ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ଏଥିରେ ବିଜେଡିର ୯୫, ବିଜେପିର ୫, କଂଗ୍ରେସର ୫ ଓ ଜଣେ ସ୍ଵାଧୀନ ସଦସ୍ୟ ଶପଥ ନେଇଛନ୍ତି। ଏହା ପରେ ଆସନ୍ତାକାଲି ୧୦ଟା ପର୍ୟ୍ୟନ୍ତ ଗୃହ ମୁଲତବି କରିଛନ୍ତି କାମଚଳା ବାଚସ୍ପତି ଅମର ଶତପଥୀ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଥମ ବାଚସ୍ପତି ଅମର ଶତପଥୀଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା । ଏହା ପରେ ବାଚସ୍ପତି ନିଜର ଆସନ ଗ୍ରହଣ କରିଥିଲେ । ପ୍ରଥମେ ବିଧାୟକଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ । ଏହା ପରେ କ୍ୟାବିନେଟ୍‌ ଓ ରାଷ୍ଟ୍ର ମନ୍ତ୍ରୀମାନେ ଶପଥ ପାଠ କରିଥିଲେ। ପରେ ପରେ ଅନ୍ୟ ସମସ୍ତ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ।