୧୫୩ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା

0

(ଜ୍ୟୋତି ରଂଜନ ଧର, କଣିହାଁ): ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ ଗୋଡିବନ୍ଧ ଦେଇ କଣିହାଁ-, ଦେବଗଡ ଅଭିମୁଖେ ଯାଇଥିବା ୧୫୩ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । କଣିହାଁ ବ୍ଲକ ହରିହରପୁର ପଂଚାୟତ ବଲାଙ୍ଗୀ – କଣିହାଁ ଦେଇ ଆସିଥିବା ୧୫୩ ଜାତୀୟ ରାଜପଥ ପାଲଟିଛି ମରଯନ୍ତା । ବ୍ଲକସ୍ଥ ବଲାଙ୍ଗି ଠାରୁ ଏନଟିପିିସି ବାଇପାସ ଛକ ଏବଂ ଭିମକାଣ୍ଡ ଛକ ଠାରୁ କଣିହାଁ ଓରିଏଣ୍ଟାଲ କର୍ମେସ ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ଦଣ୍ଡାୟମାନ ହୋଇ ପଡିଛି । ଫଳରେ ପଥଚାରୀ, ବାଇକ ଓ କାର ଆରୋହୀ ଏବଂ ଭାରିଯାନ ଚାଳକ ମାନଙ୍କୁ ଦୁର୍ଘଟଣାର ସମ୍ମୁଖିନ ହେବାକୁ ପଡୁଛି । ବିଶେଷ କରି ଉକ୍ତ ରାସ୍ତାରେ ହଜାର ହଜାର ପଥିକଙ୍କ ଯାତାୟତ ପାଇଁ ଏହା ଏକ ପ୍ରମୂଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏନଟିପିସି ପ୍ରକଳ୍ପ, କଣିହାଁ ଓସିପି, ଡେରେଙ୍ଗ ଆଇଟିପିଏଲ କମ୍ପାନୀ ଅଭିମୁଖେ କାର୍ଯ୍ୟରତ ହଜାର ହଜାର କର୍ମଚାରୀ, ଶହଶହ ଦେକାନୀ ବ୍ୟବାସାୟୀ, କଣିହାଁ ବ୍ଲକ ଓ ତହସିଲ ଅଫିସ ଉପରେ ନିର୍ଭରଶୀଳ ୧୮ଟି ପଂଚାୟତର ବାସିନ୍ଦାଙ୍କ ପାଇଁ ଏହା ହେଉଛି ଏକମାତ୍ର ଗନ୍ତବ୍ୟ ପଥ । ଅନୁରୂପ ଭାବରେ ଉକ୍ତ ରାସ୍ତା ଦେଇ ହଜାର ହଜାର କୋଇଲା ବୋଝେଇ ଟ୍ରକ ସାଙ୍ଗକୁ ଛୋଟବଡ ପ୍ରାୟ ୫୦ଟି ବସ୍ ଚଳପ୍ରଚଳ କରୁଛି । ଏହି କୋଇଲା ବୋଝେଇ ଟ୍ରକ ଗୁଡିକ ଜେଆଇଟିପିଏଲ୍ କାରଖାନାକୁ ଯାଉଥିବାବେଳେ ରାଜ୍ୟର ଓ ରାଜ୍ୟ ବାହାରକୁ ପ୍ରାୟ ଦିବାରାତ୍ର ବହୁ ବସ୍ ଯିବା ଆସିବା କରୁଛି । ଅନ୍ୟପକ୍ଷରେ କଣିହାଁ କଲେଜ, ପିଏମ ହାଇସ୍କୁଲ, ବିଜିଗୋଳ ପଂଚାୟତ ଉଚ୍ଚ ବିଦ୍ୟାଳୟ ଏବଂ ବହୁ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛ୍ାତ୍ରୀ ମାନର ଏହି ବିପଦ ସଂକୁଳ ରାସ୍ତାଦେଇ ଯାତାୟତ କରିଥାନ୍ତି । ସବୁଠାରୁ ଏହି ଅଂଚଳଟି ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ସାଙ୍ଗକୁ ଶିଳ୍ପ ସମୃଦ୍ଧି ଭାବରେ ବେଶ୍ ସାଧାରଣରେ ପରିଚୟ ପାଇଛି । କିନ୍ତୁ ରାଷ୍ଟାୟତ ଉଦ୍ୟୋଗ ଏନଟିପିସି ଓ ଘରୋଇ ଉଦ୍ୟୋଗ ଜେଆଇଟିପିଏଲ ବା ରାଜ୍ୟସରକାରଙ୍କର ଏହି ରାସ୍ତା ଉପରେ ସାମାନ୍ୟତମ ଦୃଷ୍ଟି ନଦେବା ଏହା ଏକ ସାମାଜିକ କଳଙ୍କର ନମୂନା ବୋଲି ବୁଦ୍ଧୀଜିବୀ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହଜାର ହଜାର କୋଟିଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରେ ଗଚ୍ଛିତ ଥିଲେ ମଧ୍ୟ ରାଜନୈତିକ ଗୋଡ ଟଣାଟଣିରେ ଏହି ପ୍ରମୂଖ ରାସ୍ତାର ମରାମତି ହୋଇ ପାରୁନଥିବା ଅଭିଯୋଗ ହେଉଛି । ଶିଳ୍ପଦ୍ୟୋଗ ଗୁଡିକର ସାମାଜିକ ଦାଇତ୍ୱ ବୋଧ ପାଣ୍ଠିରେ ମଧ୍ୟ ଏହି ରାସ୍ତାର ମରାମତି ହୋଇ ପାରନ୍ତା ବୋଲି ସାଧରଣରେ ମତ ପ୍ରକାଶ ପାଉଛି । ରାସ୍ତାର ଅବସ୍ଥା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ମାତ୍ର ସେହି ରାସ୍ତାରେ ନେତା-ମନ୍ତ୍ରୀ,ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପଦାଧିକାରୀ, ଜିଲ୍ଲାର ବରିଷ୍ଠ ଅଧିକାରୀ, ଏନଟିପିସି ଓ ଜେଆଇଟିପିଏଲ୍ କର୍ତୁପକ୍ଷ ମାନେ ଯିବା ଆସିବା କରୁଥିବା ବେଳେ ସବୁ ଜାଣି ଅଜଣା ରହିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ବର୍ଷକୁ ହାରାହାରି ୨ଶହ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିବାର ଅନେକ ଉଦାହରଣ ରହିଛି । ଏପରିକି ଅନେକ ଦୁର୍ଘଟଣା ଜନିତ ମୃତ୍ୟୁରେ ଆନ୍ଦୋଳନ କରାଯାଇଥିବାର ନଜିର୍ ରହିଛି । ଏହି ରାସ୍ତାର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ବିଭାଗୀୟ କର୍ତୁପକ୍ଷଙ୍କ ନିକଟରେ ଦାବୀ ହୋଇଛି । ନଚେତ ଆଗାମୀ ଦିନରେ କଣିହାଁ ବ୍ଲକ ବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ‘ ଦି ପବ୍ଲକି ପ୍ରୋଟେକ୍ସନ ଫର୍ସ ଅଫ ଓଡିଶା’ ସାଧାରଣ ସମ୍ପାଦକ ଲିପୁନ ମହାନ୍ତି ପ୍ରକାଶ କରିଛନ୍ତି ।