୨୦୧୯ର ଚର୍ଚ୍ଚିତ ଚେହେରା ଅପରାଜିତା ଷଢଙ୍ଗୀ

0

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ଷଡ଼ଙ୍ଗୀ ସକ୍ରିୟ ରାଜନୀତିକୁ ଆସିବେ ବୋଲି କେହି କେବେ କଳ୍ପନା କରିନଥିଲେ ,୨୦୧୮ ନଭେମ୍ବର ୨୬ । ଖବର ଆସିଲା ପଦ୍ମ ଧରିବେ ଅପରାଜିତା । ଏହି ଖବର ବିଜୁଳି ବେଗରେ ବ୍ୟାପିଗଲା। ଶାହଙ୍କ ବାସଭବନରେ ପଦ୍ମ ଧରି ଓଡ଼ିଶା ଫେରିଲେ ଅପରାଜିତା ।ଅପରାଜିତାଙ୍କୁ ଆଗରେ ରଖି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବାକୁ ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ବିଜେପି ନେତା। ଏଠି, ସେଠି, ସବୁଠି ଦିଶିଲେ ଅପରାଜିତା । ବିଜେପିର ବିଭିନ୍ନ କାର୍ୟ୍ୟକ୍ରମରେ ଅପରାଜିତାଙ୍କ ଗୁରୁତ୍ୱ ବଢ଼ିଥିଲା। ଅପରାଜିତା ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହିଥିଲେ।ନୂଆ ବର୍ଷର ପ୍ରଥମ ସୂର୍ୟ୍ୟୋଦୟ ଓଡ଼ିଶାବାସୀ ଦେଖିବା ପୂର୍ବରୁ ବିଜେପିର ଚାରିକାନ୍ଥ ଭିତରୁ ବାହାରିଥିଲେ ଅପରାଜିତା। ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଅପରାଜିତାଙ୍କ ବଡ଼ ବଡ଼ ହୋର୍ଡିଂ ଲାଗିଲା। ହୋର୍ଡିଂ ମାଧ୍ୟମରେ ଅପରାଜିତା ରାଜଧାନୀବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇ ଆଗକୁ ଆସିଥିଲେ। ବାଲିଅନ୍ତା ବ୍ଲକରେ ପଦଯାତ୍ରା ହେଉ କି ବୁଦ୍ଧ ପାର୍କରେ ମର୍ଣ୍ଣିଂ ୱାକ ହେଉ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ଜନସମ୍ପର୍କ ପରାମର୍ଶ ପଦଯାତ୍ରା ହେଉ କି କପିଳେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ବେଳେ ଲୋକଙ୍କ ସହ ମିଶିବା ଆଦିକୁ ନେଇ ଉଣେଇଶରେ ଚର୍ଚ୍ଚାରେ ରହିଥିଲେ ବିଜେପିର ଏହି ପୋଷ୍ଟରଗର୍ଲ।ଲୋକଙ୍କ ସହ ସିଧାସଳଖ କଥା ହେବା ପାଇଁ ଅପରାଜିତା ଚା’ ଖଟିର ଆୟୋଜନ କରିଥିଲେ। ଏହାର ନାଁ ଥିଲା ‘ମର୍ଣ୍ଣିଂ ଟି ଉଇଥ୍ ଅପରାଜିତା ଷଡ଼ଙ୍ଗୀ’। ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ବିଜେପି ଅଫିସରେ କମ୍ପନ ସୃଷ୍ଟି କରିଥିଲା। । କିନ୍ତୁ ଅପରାଜିତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ଟିକେଟ ଦେଇଥିଲା ବିଜେପି। ଅପରାଜିତା ଯେତେବେଳେ ଟିକେଟ ପାଇଲେ ସେତେବେଳେ ବିଜେଡି ମଧ୍ୟ ଚିନ୍ତାରେ ପଡ଼ିଥିଲା। କାହାକୁ ପ୍ରାର୍ଥୀ କଲେ ଦଳ ଅପରାଜିତାଙ୍କୁ ଟକ୍କର ଦେବ ତାକୁ ନେଇ ମାନସ ମନ୍ଥନ ଚାଲିଲା। ଶେଷରେ ପାଞ୍ଚ ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟିକେଟ ଦେଇ ନଥିଲା ବିଜେଡି।ଅପରାଜିତାଙ୍କ ବିପକ୍ଷରେ ମୁମ୍ବାଇର ପୂର୍ବତନ ପୋଲିସ କମିସନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଶେଷରେ ଅପରାଜିତା ହିଁ ବାଜି ମାରିଥିଲେ। ଏବେ ଅପରାଜିତା ସାଂସଦ ଅଛନ୍ତି। ହେଲେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି। ୨୦୧୯ରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ସମ୍ପର୍କରେ ଆଲୋଚନା କରିବା ବେଳେ ଅନେକ ଚର୍ଚ୍ଚିତ ଚେହେରା ଆଖି ସାମ୍ନାକୁ ଚାଲି ଆସନ୍ତି। ସେମିତି କିଛି ଚର୍ଚ୍ଚିତ ଚେହେରାଙ୍କ ଭିତରେ ଅପରାଜିତା ଷଡ଼ଙ୍ଗୀ ହେଉଛନ୍ତି ଅନ୍ୟତମ। ଆଇଏଏସ୍ ଚାକିରି ଛାଡ଼ିବା, ବିଜେପିରେ ଯୋଗ ଦେବା ଏବଂ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପ୍ରସଙ୍ଗକୁ ନେଇ ଅପରାଜିତା ଚର୍ଚ୍ଚିତ ଚେହେରା ପାଲଟି ଯାଇଥିଲେ। ଏବେ ବି ବିଜେପି ଶିବିରରେ ଅପରାଜିତାଙ୍କୁ ନେଇ ଚର୍ଚ୍ଚା ଥମିନି।