(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: କୁହାଯାଏ ଭାଗ୍ୟରେ ଯଦି ରାଜଯୋଗ ଅଛି ତାହେଲେ ତାକୁ କେହି ବି ଅଟକାଇ ପାରିବେନାହିଁ । ଏହି ଯେମିତି ପ୍ରମିଳା ବିଶୋଇଙ୍କ କ୍ଷେତ୍ରରେ ଘଟିଲା । ବୟସ ୭୮ ଛୁଇଁଥିଲେ ହେଁ ୨୦୧୯ ନିର୍ବାଚନ ତାଙ୍କର ଭାଗ୍ୟ ଖୋଲିଛି । ସେ ଆସ୍କା ଲୋକସଭା ଆସନରୁ ସାଂସଦ ହୋଇଛନ୍ତି । ୨୦୧୯ ମାର୍ଚ୍ଚ ୧୦ ତାରିଖ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କଲେ ୩୩ପ୍ରତିଶତ ମହିଳାଙ୍କୁ ବିଜେଡ଼ି ଟିକେଟ ଦେବ ।
ସଂଘର୍ଷରୁ ସଫଳତା ,ସମାଜ ସେବାରୁ ସାଂସଦ , ଏ ହେଉଛନ୍ତି ଜଣେ ସାଧାରଣ ମହିଳା ପ୍ରମିଳା ବିଶୋଇ । ମାର୍ଚ୍ଚ ୧୮ ତାରିଖ ନବୀନ ଘୋଷଣା କଲେ ଆସ୍କା ସାଂସଦ ପାଇଁ ପ୍ରମିଳା ବିଶୋଇଙ୍କ ନାମ । ତାପରେ ଆରମ୍ଭ ହୁଏ ଚର୍ଚ୍ଚା । ଆସିକା ଚେରମାରିଆ ଗାଁରୁ ସ୍ୱଂୟ ସହାୟିକା ଗୋଷ୍ଠୀ ସଭାନେତ୍ରୀ ପ୍ରମିଳା ବିଶୋଇ ଥିଲେ ରାଜନୀତି ଦୁନିଆରେ ସମ୍ପୂର୍ଣ୍ଣ ନୂଆ । ନା ସେ ନିଜେ କୌଣସି ରାଜନୀତିକ ଦଳରେ ଥିଲେ ନା ତାଙ୍କ ପରିବାରର କିଛି ରାଜନୀତି ସହ ସମ୍ପର୍କ ଥିଲା । ନବୀନ ଯେତବେଳେ ପ୍ରମିଳାଙ୍କ ନାମ ଘୋଷଣା କଲେ ଅନ୍ୟ ନିର୍ବାଚନ ମଣ୍ଡଳୀ କଥା ଛାଡନ୍ତୁ ଆସ୍କା ଭୋଟର ବି ଆଶ୍ଚର୍ଯ୍ୟ ହୋଇଗଲେ । କିଏ ଏହି ପ୍ରମିଳା ଏବଂ ତାଙ୍କ ପରିଚୟ କଣ ଚାରିଆଡ଼େ ପଡ଼ିଲା ଚର୍ଚ୍ଚା । ହଠାତ ଯେତବେଳେ ଟିଭି ପରଦାରେ ପ୍ରମିଳାଙ୍କ ଫଟୋ ଆସିଲା ଚର୍ଚ୍ଚା ଜୋର ଧରିଲା ଯେ ନବୀନ ଏହି ମହିଳାଙ୍କୁ କାହିଁକି ଟିକେଟ ଦେଲେ ।
କିଏ କହିଲା ଆସ୍କାରେ ପ୍ରମିଳା ଜିତି ପାରିବେନି ତ ଆଉ କିଏ କହିଲା ପରିଣତ ବୟସରେ ପ୍ରମିଳା ଲୋକସଭା ଯାଇ କରିବେ କଣ । ହେଲେ ଯେତବେଳେ ନିର୍ବାଚନ ଫଳ ବାହାରିଲା ସମସ୍ତେ ତାଜୁବ ହୋଇଗଲେ । ପ୍ରମିଳା ସବୁ କଳ୍ପନା ଯଳ୍ପନାକୁ ପଛରେ ପକାଇ ଲକ୍ଷାଧିକ ଭୋଟରେ ନିର୍ବାଚନ ଜିତିଲେ । ଗଞ୍ଜାମ ଜିଲ୍ଲା ଆସ୍କାର ଚେରମାରିଆ ଗାଁରୁ ଆସିଥିବା ପ୍ରମିଳା ୨୦୧୯ରେ ରାତାରାତି ପାଲଟିଗଲେ ଚର୍ଚ୍ଚିତ ଚେହେରା । ପ୍ରାୟ ସତୁରି ହଜାର ମହିଳାଙ୍କୁ ଏକାଠି କରିଥିଲେ ପ୍ରମିଳା । ଚେରମାରିଆରୁ ଦିଲ୍ଲୀ ଜଣେ ସାଧାରଣ ମହିଳାଙ୍କ ଜୀବନୀ । ଗଣତନ୍ତ୍ରର ସର୍ବୋଚ୍ଚ ଗୃହକୁ ଯିବା ଆଉ ଏକ ଉଦାହରଣ । ସାଧାରଣ ଜୀବନ ଯାପନ କରୁଥିବା ପ୍ରମିଳା ସ୍ୱପ୍ନରେ ବି ଭାବି ନଥିଲେ ଲୋକ ସଭା ସାଂସଦ ହେବେ । କିନ୍ତୁ ୨୦୧୯ ତାଙ୍କୁ ଏହି ସୁଯୋଗ ଦେଇଛି । ଅଖ୍ୟାତ ପଲ୍ଲୀର ପ୍ରମିଳା ଏବେ ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ।