୨୭ରେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ

0

(ଅନୁସ୍ୱୟା)ଭୁବନେଶ୍ୱର: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଛି। ୮୧ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ-ଜେଏମ୍ଏମ ମେଣ୍ଟ ୪୭ ଆସନ ହାତେଇଛି। ସରକାର ଗଠନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ମେଣ୍ଟ ପାଖରେ ଏହାଠାରୁ ଅଧିକ ସଦସ୍ୟ ରହିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୨୦ରେ ଶେଷ ହୋଇଥିଲା । ଜେଏମଏମର କାର୍ୟ୍ୟକାରୀ ଅଧ୍ୟକ୍ଷ ଓ ରାଜ୍ୟ ବିଧାନସଭାରେ ବିରୋଧୀ ମେଣ୍ଟର ନେତା ହେମନ୍ତ ସୋରେନ ନିଜର ମନ୍ତ୍ରିମଣ୍ଡଳର ସହଯୋଗୀଙ୍କ ସହିତ ଡିସେମ୍ବର ୨୭ରେ ରାଞ୍ଚିର ମୋହରାବାଦୀ ପଡ଼ିଆରେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ୧୨ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇ ପାରନ୍ତି। ମେଣ୍ଟରେ ବୁଝାମଣା ଅନୁସାରେ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ସହିତ ୫ ମନ୍ତ୍ରୀ ପଦ ମଧ୍ୟ ମିଳିବ। ସେହିପରି ମେଣ୍ଟର ଅନ୍ୟତମ ସହଯୋଗୀ ଆର୍ଜେଡ଼ିକୁ ଗୋଟିଏ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଉଛି।
ନିର୍ବାଚନରେ ବିଜୟୀ ହେବା ପରେ ନିଜ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହେମନ୍ତ ସୋରେନ କହିଛନ୍ତି ଯେ, ନିଜ ଆଗ୍ରହ ବାବଦରେ ରାଜ୍ୟପାଳ ଦୌପଦୀ ମୁର୍ମୁଙ୍କୁ କହିବେ ଏବଂ ଅନୁମତି ମିଳିବା ପରେ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ।
ସରକାର ଗଢ଼ିବା ନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ହେମନ୍ତ କହିଛନ୍ତି ଯେ, ଏଥିପାଇଁ ସେ ମଙ୍ଗଳବାର ଦିଲ୍ଲୀ ଯିବେ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବେ । ଜେଏମଏମ ଆଜି ପାର୍ଟି ଅଧ୍ୟକ୍ଷ ଶିବୁ ସୋରେନଙ୍କ ନିବାସରେ ଏକ ବୈଠକର ଆୟୋଜନ କରିବ ।