୨୭ ବର୍ଷର ଅପେକ୍ଷାର ଅନ୍ତ , ତୃତୀୟ ଦଳ ଭାବେ ଇଂଲଣ୍ଡ ସେମିରେ ପ୍ରବେଶ କରିଛି

0

(ଋିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଅଷ୍ଟ୍ରେଲିଆ ଓ ଭାରତ ପରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ଶେଷ ଥର ପାଇଁ ୧୯୯୨ରେ ସେମିଫାଇନାଲ୍ ଖେଳିଥିବା ଇଂଲଣ୍ଡ ଏଥିସହ ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବାର ନିକଟତର ହୋଇଛି। ସେମିଫାଇନାଲର ଚାରିଟିରୁ ତିନିଟି ଦଳ ସ୍ପଷ୍ଟ ହେବା ପରେ ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଦୌଡ଼ରେ ଅଛନ୍ତି। ପାକିସ୍ତାନ ତା’ ଶେଷ ମ୍ୟାଚ୍ ଜିତିବା ସହ ନେଟ୍ ରନ୍ ରେଟ୍‌ରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ପାରିଲେ ଚତୁର୍ଥ ତଥା‌ ଶେଷ ଦଳ ଭାବେ ସେମିଫାଇନାଲ୍ ଖେଳିବ। ତେବେ ପରିସଂଖ୍ୟାନ ଦୃଷ୍ଟିରୁ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନ ହାସଲ କରିନେବାର ସମ୍ଭାବନା ଅଧିକ।

ବୁଧବାର ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ହରାଇ ଇଂଲଣ୍ଡ ଲଗାତାର ଦୁଇଟି ବିଜୟ ହାସଲ କରିବା ସହ ସେମିଫାଇନାଲ୍ ଟିକେଟ ହାସଲ କରି ନେଇଥିଲା। ଇଂଲଣ୍ଡ ବୁଧବାର ୩୦୬ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୫ ଓଭରରେ ମାତ୍ର ୧୮୬ ରନ୍ କରି ପରାଜିତ ହୋଇଥିଲା। ଇଂଲଣ୍ଡ ଲିଗ୍ ଅଭିଯାନର ସମସ୍ତ ୯ ମ୍ୟାଚ୍‌ରୁ ୬ ବିଜୟ ଏବଂ ୩ ପରାଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ତା’ ୯ ମୁକାବିଲାରୁ ୫ ବିଜୟ ଏବଂ ୩ ପରାଜୟ ଏବଂ ଗୋଟିଏ ଫଳାଫଳ ବିହୀନ ମ୍ୟାଚ୍‌ରୁ ୧୧ ପଏଣ୍ଟ ସହ ତାଲିକାର ଚତୁର୍ଥରେ ରହିଛି। ସେମିଫାଇନାଲ୍ ଖେଳିବା ଲାଗି ଇଂଲଣ୍ଡ ପାଇଁ ତା‌’ ଶେଷ ଦୁଇ ମ୍ୟାଚ୍ ଜିତିବା ଏକାନ୍ତ ଅପରିହାର୍ୟ୍ୟ ଥିଲା। ଗତ ୩୦ ତାରିଖରେ ଭାରତକୁ ହରାଇବା ପରେ ଆଜି ନ୍ୟୁଜିଲାଣ୍ଡକୁ ସହଜରେ ହରାଇ ଇଂଲଣ୍ଡ ଏହାକୁ ହାସଲ କରି ନେଇଥିଲା। ଇଂଲଣ୍ଡ ଏଜବାଷ୍ଟନରେ ଆସନ୍ତା ଗୁରୁବାର ଦ୍ବିତୀୟ ସେମିଫାଇନାଲ୍ ଖେଳିବା ପକ୍କା ହୋଇ ଯାଇଛି। ଇଂଲଣ୍ଡର ପ୍ରତିପକ୍ଷ ଭାରତ-ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲାରୁ ନିର୍ଣ୍ଣୟ ହେବ। ଇଂଲଣ୍ଡ ବିପକ୍ଷରେ ଭାରତ ଖେଳିବାର ସମ୍ଭାବନା ଅଧିକ ।