( ଭୁବନେଶ୍ୱର /ରିପୋର୍ଟସଟୁଡେ): ଏପ୍ରିଲ ୩ରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ପୂର୍ବରୁ ନୟାଗଡରେ ପ୍ରଚାର ମୈଦାନକୁ ଓହ୍ଲାଇ ବିରୋଧୀଙ୍କୁ ରଣହୁଙ୍କାର ଦେଇସାରିଛନ୍ତି ନବୀନ । ତେବେ ପ୍ରଥମ ପର୍ୟ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏବେ ସିଧାସଳଖ ପ୍ରଚାର ମୈଦାନ ମୁହାଁ ଦଳପତି । ପ୍ରଥମ ପର୍ୟ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ନବୀନ ଏପ୍ରିଲ ୩ରୁ କୋରାପୁଟରୁ ମାରାଥନ କ୍ୟାମ୍ପେନ ଆରମ୍ଭ କରିବେ ।
ବିଜେଡିର ବିଜୟ ବାନା ଉଡାଇବା ପାଇଁ ଦକ୍ଷିଣରୁ ନବୀନ ଆରମ୍ଭ କରିବେ ମାରାଥନ ପ୍ରଚାର । ଦକ୍ଷିଣରୁ ଆରମ୍ଭ ହେବାକୁ ଥିବା ନବୀନଙ୍କ ଏହି କ୍ୟାମ୍ପେନ ଏପ୍ରିଲ ୨୭ରେ ଉତ୍ତର ଓଡିଶାରେ ଶେଷ ହେବ । ଏହି ସମୟସୀମା ମଧ୍ୟରେ ପୂରା ଓଡିଶା ବୁଲିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏପ୍ରିଲ ୩ରେ କୋରାପୁଟରେ ନବୀନ ଏକ ବଡ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଥିବା ବେଳେ ଏହାପରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପରେ ଦଳୀୟ ସଭାରେ ଯୋଗ ଦେଇ କର୍ମୀଙ୍କୁ ବିଜୟୀ ପାଇଁ ମନ୍ତ୍ର ଦେବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ପୂର୍ବରୁ କୋରାପୁଟ ଆସନ ବିଜେଡି ହାତରେ ଥିବାରୁ ଚଳିତଥର ଏହାକୁ ହାତଛଡା କରିବାକୁ ଚାହୁଁନାହିଁ ଦଳ । ତେଣୁ ନୂଆ ଷ୍ଟ୍ରାଟେଜି ନେଇ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ।