୩ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗିରଫ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଯାଜପୁର ଟାଉନ୍‌ ଥାନା ପୋଲିସ ଏକ ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ ଏଟିଏମ୍ ଲୁଟରେ ଏମାନେ ସକ୍ରୀୟ ରହିଥିବା ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ନେମାଳ ଥାନା ଅଧୀନ ଜମରା ଗ୍ରାମର ବଳରାମ ସାହୁ (୨୮), କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଗ୍ରାମର ସଂଜୀବ କୁମାର ମଣ୍ଡଳ , କେନ୍ଦ୍ରାପଡା ଥାନା ବାରିମୂଳ ଗ୍ରାମର ସର୍ବେଶ୍ୱର ବଳ ନାମକ ୩ ଜଣ ଅଭିଯୁକ୍ତ ଯାଜପୁର ସଦର, କୁଆଖିଆ, ବାରିପଦା, ଓଲଟପୁର, ଓଡଗାଁ, ଖଣ୍ଡପଡା, ଧର୍ମଶାଳା, ବାଲିଚନ୍ଦ୍ରପୁର, ଫତେଗଡ, ନୟାଗଡ଼, ଆଠଗଡ, ବାଙ୍କୀ, ଲାଠିକଟା, ଯାଜପୁରଟାଉନ, ଚାନ୍ଦପୁର ଥାନା ଅଧୀନରେ ୩୦ଟି ଏଟିଏମ ଲୁଟ ଘଟଣାରେ ସଂପୃକ୍ତ ଅଛନ୍ତି। ସେମାନଙ୍କ ଠାରୁ ଗୋଟିଏ କାର ଓଡି-୦୨-ଏଆର-୭୧୭୭, ଟିଭିଏସ୍‌ ମୋଟର ସାଇକେଲ ଓଡି-୦୫-ଏଏଚ-୭୪୩୪, ୪ଟି ମୋବାଇଲ, ୩ଟି ଏଟିଏମ୍‌, ୧୫ ହଜାର ଟଙ୍କା ଜବତ କରିଛି ପୋଲିସ । ଲୁଟେରାମାନେ ଚତୁରତାର ସହିତ ବୟସ୍କ ଓ ଅପାଠୁଆ ଲୋକଙ୍କୁ ଠକି ଲୁଟ କରୁଥିଲେ। ତେବେ ଜଣଙ୍କୁ ସମାନ ଢ଼ଙ୍ଗରେ ଲୁଟ୍‌ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଯାଜପୁର ସଦର ଓ ଟାଉନ ପୋଲିସର ମିଳିତ ଚଢ଼ାଉ ଧରାପଡିଛନ୍ତି ।