(ରିିପୋର୍ଟସ ଟୁଡ଼େ/ଭୁବନେଶ୍ୱର): ଆଜି ସକାଳ ୬ ଟାରୁ ମଧ୍ୟହ୍ନ ୧୨ଟା ଯାଏଁ ଭଦ୍ରକ ବନ୍ଦ ଡାକରା ଦେଇଛି ଭାରତୀୟ ଜନତା ପାର୍ଟି। ଭଦ୍ରକ ଜିଲ୍ଲାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ସ୍ଥାପନା ଲାଗି ରାଜ୍ୟ ସରକାରଙ୍କ ଜମି ଯୋଗାଣରେ ବିଳମ୍ବ ଓ ଅସହଯୋଗ ଅଭିଯୋଗ କରି ଏହି ବନ୍ଦ ଡ଼ାକରା ଦେଇଛି ବିଜେପି ।
ବୟନ ଶିଳ୍ପ ଲାଗି ୭୫ ଏକର ଜମି ଯୋଗାଇବା ଦାବି କରି ଜିଲ୍ଲାର ୭ଟି ବ୍ଲକ୍ରେ ସକାଳ ୬ଟା ବେଳେ ସ୍ଥାନୀୟ ବିଜେପି ନେତା ଓ କର୍ମୀମାନେ ଦଳ ଦଳ ହୋଇ ବ୍ୟାନର ଓ ପତାକା ଧରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛନ୍ତି।
ସେମାନେ ଭଦ୍ରକ ରେଳଷ୍ଟେସନ୍ରେ ଡିଏମ୍ୟୁ ଟ୍ରେନ୍, ବସ୍ଷ୍ଟାଣ୍ଡ୍ରୁ ଯାତାୟାତ କରୁଥିବା ବସ୍ ଅଟକାଇବା ସହ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। କେତେକ ବିକ୍ଷୋଭକାରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଓ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ବଜାରଘାଟ ଆଦି ବନ୍ଦ ରହିଛି।