୭୦ତମ ସାଧାରଣତନ୍ତ୍ର ଦିବସ , ପତାକା ଉତ୍ତୋଳନ କଲେ ରାଜ୍ୟପାଳ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ରାଜଧାନୀରେ ୭୦ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଛି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଅଭିବାଦନ ପ୍ରଦାନ କରିଛନ୍ତି । ପୋଲିସ, ଅର୍ଦ୍ଧସାମରିକ ସହ ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି । ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଏନସିସି ଓ ସ୍କାଉଟ୍ ପିଲାମାନେ ମଧ୍ୟ ପରେଡରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ସେବାର ପ୍ରତୀକ ସ୍ୱରୂପ ଆମ୍ବୁଲାନ୍ସ ଓ କୃଷି ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପରେଡରେ ପ୍ରଦର୍ଶନ କରାଯାଇଛି । ଏହା ସହ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ଯୋଗର ଉପାଦେୟତା ପ୍ରଦର୍ଶନ ସ୍ୱରୂପ ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହୋଇଛି । ପରେଡରେ ବିଭିନ୍ନ ପ୍ରକାର ବାଇକ୍ ଷ୍ଟଂଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି ।ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୫୬ଟି ଟ୍ରୁଫ୍‌ ଭାଗ ନେଇଛନ୍ତି । ଆନ୍ଧ୍ର ପୋଲିସର ଟ୍ରୁପ୍‌ ସହ ମର୍ଚ୍ଚାଣ୍ଟ ନେଭିର ଏକ ଟ୍ରୁପ୍‌ ମଧ୍ୟ ସାମିଲ ହେଉଛନ୍ତି । ଏଥିରେ ଭାଗ ନେଇଛନ୍ତି ୯ଟି ପ୍ରଜ୍ଞାପନ ମେଢ଼ ଓ ୬ଟି ସାଂସ୍କୃତିକ ମେଢ଼ । ଚିତ୍ତାକର୍ଷକ ସ୍କେଟିଂ ସାଙ୍ଗକୁ ମହର୍ଷି କଲେଜ ଛାତ୍ରଛାତ୍ରୀଙ୍କ ଡେୟାର ଡେଭିଲ୍‌ ସୋ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ହୋଇଛି ।
ରାଜ୍ୟସ୍ତରୀୟ ପରେଡ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁତୟନ ହୋଛନ୍ତି ୩୦ ପ୍ଲାଟୁନ୍‌ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି ୧୪୦ ପୋଲିସ ଅଧିକାରୀ। ମହାତ୍ମାଗାନ୍ଧି ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତରେ ଜାରି ହୋଇଛି ଟ୍ରାଫିକ କଟକଣା। କଟକରେ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ଅଭିବାଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ଅଭିଭାଷଣରେ ଏକ ହୋଇ ମାଁ ମାଟି ପାଇଁ କାମ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ।