ଜାରିରହିବ ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା: ସୁପ୍ରିମକୋର୍ଟ
10% reservation for economically weaker sections to continue: Supreme Court
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ । ଏହି ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ସରକାରୀ ପକ୍ଷର ଯୁକ୍ତିକୁ କାଏମ ରଖିଛନ୍ତି । ଅର୍ଥାତ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସବର୍ଣ୍ଣ ବର୍ଗର ଆର୍ଥିକ ଅନଗ୍ରସର ଲୋକେ ସଂରକ୍ଷଣ ସୁବିଧା ପାଇପାରିବେ । ଆର୍ଥିକ ଅନଗ୍ରସରଙ୍କ ଲାଗି (ଇଡବ୍ଲୁଏସ୍) କୋଟା ବ୍ୟବସ୍ଥା ସାମ୍ବିଧାନିକ ଭେଦଭାବ ସୃଷ୍ଟି କରୁ ନାହିଁ କି ଏହା ସମ୍ବିଧାନର ମୂଳଦୁଆକୁ ପ୍ରଭାବିତ କରୁ ନାହିଁ ବୋଲି ସର୍ବୋଚ୍ଚ ନ୍ୟାଳୟ କହିଛନ୍ତି । ଦେଶର ଦଳିତ ତଥା ସାମାଜିକ ନ୍ୟାୟରୁ ବଞ୍ଚିତ ବର୍ଗ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଏସସି /ଏସଟି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଏହି କୋଟା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ସାଧାରଣତଃ ସମ୍ପୃକ୍ତ ଅବହେଳିତ ଗୋଷ୍ଠୀଙ୍କ ଲାଗି ସରଂକ୍ଷଣ ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା ।
କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂତନ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ସେମାନଙ୍କୁ ବଞ୍ଚିତ କରାଯାଇଥିବାରୁ ପ୍ରଶ୍ନ ଉଠିଥିଲା । ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରର ମୋଦି ସକରାର ଉଚ୍ଚ ଜାତିର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ୧୦ ପ୍ରତିଣତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ। ଏହା ପରେ ବିଜେପିକୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନର ବିଧାନସଭା ନିର୍ବାଚନରେ ପରାଜୟର ମୁଖା ଦେଖିବାକୁ ପଡ଼ିଥିଲା । ପୂର୍ବରୁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିରେ ରୋକ ଲଗାଇବା ନେଇ ଆବେଦନକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ । ତେବେ କଂଗ୍ରେସ ସମର୍ଥକ ଏବଂ ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ପୁନର୍ବିଚାର ଲାଗି କରାଯାଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟ ଲଗାତାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ଯାହାର ଚୂଡ଼ାନ୍ତ ରାୟ ଆଜି ଆସିଛି। ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ସଂରକ୍ଷଣ ବ୍ୟବସ୍ଥାର ବୈଧତା ନେଇ ରାୟ ଦେଇଛନ୍ତି।