ଗ୍ରାମାଞ୍ଚଳକୁ ମିଳିବ ୧.୯୫ କୋଟି ଘର

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଘର କ୍ରେତାଙ୍କୁ ୧.୫ ଲକ୍ଷ ଟଙ୍କାର ଅତିରିକ୍ତ ରିହାତି ଦେବାକୁ ଘୋଷଣା କରିଛନ୍ତି। ମାନ୍ଦାବସ୍ଥାରେ ଥିବା ରିୟଲ ଇଷ୍ଟେଟ ସେକ୍ଟରକୁ ଗତିଶୀଳ କରିବା ପାଇଁ କେନ୍ଦ୍ର ଏପରି ପଦକ୍ଷେପ ନେଇଛି । ସହରରେ ୪୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଘର କ୍ରୟ ଉପରେ ଲୋକଙ୍କୁ ଏହି ରିହାତି ମିଳିବ। ମାତ୍ର ଏହି ରିହାତି ବିଲଡରଙ୍କ ପକ୍ଷରୁ ମିଳିବ ନା ବ୍ୟାଙ୍କରୁ ଏହା ସ୍ପଷ୍ଟ ହୋଇ ନାହିଁ।
ଘର କିଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ସରକାର ପ୍ରୋତ୍ସାହିତ କରିବେ କାରଣ ଏହି ଲୋକ ରିୟଲ ଇଷ୍ଟେଟର ସବୁଠୁ ବଡ଼ ଉପଭୋକ୍ତା। ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ଯୋଜନା ପ୍ରଣୟନ କରାଯିବ ଯଦ୍ଵାରା ଏହି ଲୋକେ ସହଜରେ ଘର କିଣି ପାରିବେ। ଏହା ବ୍ୟତୀତ ସରକାର ଗ୍ରାମାଞ୍ଚଳରେ ୧.୯୫ କୋଟି ଘର ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରି ଲୋକଙ୍କୁ ଦେବେ। ଏହି ଘରଗୁଡ଼ିକରେ ଶୌଚାଳୟ, ବିଜୁଳି ଓ ଏଲପିଜି କନେକ୍ସନ ଦିଆଯିବ।
ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ତଥା ହାଉସିଂ ଫାଇନାନ୍ସ କମ୍ପାନୀଙ୍କୁ ସହାୟତା ଦେବା ପାଇଁ ସରକାର ନିଜ ପକ୍ଷରୁ ସାହାଯ୍ୟ କରିବେ। ଏହା ଜରିଆରେ ଲୋକଙ୍କୁ କମ ସୁଧରେ ଘର, ଗାଡ଼ି ଓ ଘରୋଇ ଉପକରଣ କିଣି ପାରିବେ। ଏହା ବ୍ୟତୀତ ନ୍ୟାସନାଲ ହାଉସିଂ ବୋର୍ଡରୁ ହାଉସିଂ ଫାଇନାନ୍ସ କମ୍ପାନୀକୁ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯିବ। କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଆଧାରରେ ଏହି ସବୁ କମ୍ପାନୀକୁ ଏକ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସାହାଯ୍ୟ ବ୍ୟାଙ୍କ ମାଧ୍ୟମରେ ଦିଆଯିବ।