ବ୍ୟୁରୋ : ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫ ପ୍ରଫେସର ବୁଲୁ ମହାରଣାଙ୍କ ଉପରେ କଡା ନଜର। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଏହି ଗିରଫ ତାଲିକାରେ ନାକ୍ ଟିମ୍ ସଦସ୍ୟ ମଧ୍ୟ ରହିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ପ୍ରଫେସର ବୁଲୁ ମହାରଣାଙ୍କ ଘରେ ଆଜି ପଶିଛି ସିବିଆଇ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ଚାଲିଛି ସିବିଆଇ ରେଡ । ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ କରିବ ଟିମ୍ ।
ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ଦେବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଥିବା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଜ୍ୟୋତି ବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ସିବିଆଇ । ଏହି ଘଟଣାରେ ବୁଲୁ ମହାରଣା ଗିରଫ ହେବା ପରେ ସିବିଆଇ ତାଙ୍କ କ୍ଵାଟର୍ସକୁ ସିଲ୍ କରିଥିଲା। ଆଜି ସିବିଆଇ ଟିମ୍ ସିଲ୍ ଖୋଲିବା ସହ ଯାଞ୍ଚ କରିଛି ।
ସୂଚନା ଯୋଗ୍ୟ ଯେ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବୁଲୁ ମହାରଣାଙ୍କ ସମେତ ନାକ୍ ନିରୀକ୍ଷଣ କମିଟିର ୬ ସଦସ୍ୟ ଏହି ଇନ୍ସ୍ପେକ୍ସନ ଟିମ୍ରେ ରହିଥିଲେ। ସେହି ସମୟରେ ନାକ୍ ଏ++ଏସି ମାନ୍ୟତା ପାଇଁ ଡିଲ୍ ହୋଇଥିଲା। ର଼୍ୟାଙ୍କିଙ୍ଗ୍ ପାଇଁ ଅବଶ୍ୟକ ମାପଦଣ୍ଡ ପୂରଣ କରୁ ନ ଥିବା ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସେମାନଙ୍କ ଦାବି ଅନୁସାରେ ଦାମୀ ଆଇଫୋନ୍ ଓ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରାଯାଇଥିଲା। ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ଚାଲିଥିବା ଖବର ପାଇ ସିବିଆଇ ଟିମ୍ ସେଠାରେ ପହଞ୍ଚି ୧୦ଜଣଙ୍କୁ ଗିରଫ କରିଥିଲା । ଏଥିରେ ପ୍ରଫେସର ବୁଲୁ ମହାରଣା ମଧ୍ୟ ଥିଲେ । ତାଙ୍କୁ ଗିରଫ କରିବା ପରେ ସିବିଆଇ ଅଧିକାରୀମାନେ ଗତ ୧ ଫେବ୍ରୁଆରୀରେ ସମ୍ବଲପୁର ବୁର୍ଲା ଜ୍ୟୋତିବିହାରସ୍ଥିତ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ନୋଟିସ୍ ଲଗାଇ ସିଲ୍ କରିଥିଲେ। ଆଉ ଆଜି ସେହି ସିଲ୍ ଖୋଲି ତଦନ୍ତକୁ ତ୍ୱରାନ୍ୱିତ କରିଛି ସିବିଆଇ। ଚଢ଼ାଉ ବେଳେ କିଛି ତଥ୍ୟ ବାହାରିବା ନେଇ ଆଶା କରାଯାଉଥିବା ବେଳେ ଏନେଇ ଏଯାବତ୍ କୌଣସି ସଠିକ୍ ସୁଚନା ଦେଇନାହାନ୍ତି ସିବିଆଇ ଟିମ୍।