ଘରେ ମଶା ରହିଲେ ହଜାର, ଅଫିସରେ ମଶା ରହିଲେ 5ହଜାର ଫାଇନ୍

0

ଆପଣଙ୍କ ଘରେ ମଶା ବୁଲୁଛି କି ?

ଘରର ଆଖପାଖରେ ପାଣି ଜମିଛି କି ?

ସଫା ହୋଇନି କି ଘର ପାଖ ପରିବେଶ?

ତେବେ ହୋଇଯାଆନ୍ତୁ ସାବଧାନ

କାରଣ ଆପଣଙ୍କୁ ଗଣିବାକୁ ପଡିବ ତଣ୍ଡ

ଭୁବନେଶ୍ୱେର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି । ଘରେ ଘରେ ବାହାରୁଛନ୍ତି ଡେଙ୍ଗୁ ରୋଗୀ । ଯାହାକୁ ନଜରରେ ରଖି ବିଏମସି ପକ୍ଷରୁ ଆସିଛି ନୂଆ ନିୟମ । ଘର ଘର ବୁଲି ମଶା ଯାଞ୍ଚ କରିବ ବିଏମସି । ଘରେ କିମ୍ବା ଏହାର ଆଖପାଖରେ ମଶା ବଂଶ ବୃଦ୍ଧି ପାଇଁ ପରିବେଶ ଥିଲେ ଆଦାୟ ହେବ ଫାଇନ୍ । ଆପଣଙ୍କୁ ଗଣିବାକୁ ପଡିବ ହଜାରେ ଟଙ୍କ ତଣ୍ଡ । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସରୁ ମଶା ବାହାରିଲେ 5ହଜାର ଯାଏ ଜରିମାନା ଦେବାକୁ ପଡିବ ।

ବିଏମସିର ପରିମଳ ଟିମ୍ ଘର ଘର ବୁଲି ଯାଞ୍ଚ କରିବ । ଆସନ୍ତା 15 ତାରିଖ ପରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ଏହାସହ ରାସ୍ତାକଡ଼ରେ ଥିବା ବୁଦା ନ କାଟିଲେ ଠିକା ସଂସ୍ଥା ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ।  ଯେଉଁଠାରେ ସଫେଇ ସଂସ୍ଥା ବୁଶ୍ କଟିଂ କରିନଥିବେ, ତାହା ବିଏମ୍‌ସି କରିବ ଏବଂ ଆବଶ୍ୟକୀୟ ଖର୍ଚ୍ଚ ସଂପୃକ୍ତ ସଂସ୍ଥାକୁ ବହନ କରିବାକୁ ପଡ଼ିବ। ଏହାସହ ପ୍ରତି ୱାର୍ଡରେ ଏକ ନିରୀକ୍ଷଣ ବା ସର୍ଭେଲାନ୍ସ ଟିମ୍ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହିତ ସଚେତନତା କରାଇବେ ଏବଂ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବେ । ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି ପ୍ରତିଦିନ 50ରୁ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହେଉଛନ୍ତି । ନୟାପଲ୍ଲୀ ହଟସ୍ପଟ ରହିଥିବା ବେଳେ ୟୁନିଟ-୯, ଜୟଦେବ ବିହାର, ସତ୍ୟନଗର, ବରମୁଣ୍ଡା, ସହିଦନଗର, ପୁରୁଣା ଭୁବନେଶ୍ୱର, ପୋଖରୀପୁଟ, ସୁନ୍ଦରପଡା, ଜାଗମରା, ଖଣ୍ଡଗିରି, ଉଦୟଗିରିବିହାର, ୟୁନୁଟ-୩ ଆଦି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ବିଏମସି ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଗୁରୁବାର ଓ ଶନିବାର ଡ୍ରାଏ ଡେ’ ପାଳନ କରାଯାଉଛି । ତେବେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ବିଏମସି ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।