ନୂଆଦିଲ୍ଲୀ :ଆଜି ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ବିଭିନ୍ନ ବିଭାଗର ୧୧୩୨ ଜଣ କର୍ମଚାରୀ ଏହି ପୁରସ୍କାରରେ ସମ୍ମାନିତ ହେବେ । ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପୋଲିସ ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗ ପୁରସ୍କୃତ ହେବେ ବୋଲି ପ୍ରକାଶିତ ହୋଇଛି । ସେଥିମଧ୍ୟରୁ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ମିଳିବା ନେଇ ଘୋଷଣା ହୋଇଥିବା ବେଳେ ଓଡିଶାର ୧୫ ଜଣ ତାଲିକାରେ ସ୍ଥାନ ପାଇଥିବା ଏମଏଚ ପକ୍ଷରୁ ସୂଚନା ମିଳିଛି । ଓଡିଶାର ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେହିପରି ଓଡିଶାର ୧୧ ପୁଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ। ତାଲିକାରେ ପୂର୍ବାଞ୍ଚଳ ଆଇଜି ସତ୍ୟବ୍ରତ ଭୋଈଙ୍କ ନାଁ ସାମିଲ ରହିଛି । ତାଲିକାରେ ୩ଜଣ ଡିଏସପି ରାଙ୍କର ଅଧିକାରୀ ସ୍ଥାନ ପାଇଥିବା ବେଳେ ଆଡିସନାଲ ଡେପୁଟି ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରଫୁଲ କୁମାର ସେଠିଙ୍କୁ ମାଧ୍ୟ ଏହି ପୁରସ୍କାରରେ ପୁରସ୍କୃତ କରାଯିବ ।