ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଚଳିତ ବର୍ଷ ବଜେଟରେ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି ୧୬ ହଜାର ୪୮ କୋଟି ଟଙ୍କା । ତେବେ ଗତ ଆର୍ଥିକ ବର୍ଷର ବ୍ୟୟବରାଦ ତୁଳନାରେ ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଫୋକସରେ ରଖିଛନ୍ତି ରାଜ୍ୟ ସରକାର । ଗତ ବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ବଜେଟ୍ ଜନସ୍ୱାସ୍ଥ୍ୟ ସେବାକୁ ମିଳିଛି । ଖାଲି ସେତିକି ନୁହେଁ, ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମିଳିଥିବା ବଜେଟ୍ ପ୍ରାୟ ୩ ଗୁଣ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ତେବେ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଥିବା ଟଙ୍କାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ ବ୍ୟୟବରାଦ ବାବଦରେ ୩ ହଜାର ୭୨୫ କୋଟି ଟଙ୍କା ଓ କାର୍ୟ୍ୟକ୍ରମ ବ୍ୟୟ ବାବଦକୁ ୧୨ ହଜାର ୩୧ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ନୂଆ ଯୋଜନା ମଧ୍ୟ ଆରମ୍ଭ କରିବେ ରାଜ୍ୟ ସରକାର । ଏଥିପାଇଁ ରାଜ୍ୟ ବଜେଟରେ ୭୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ତେବେ ଆଗାମୀ ୧ ବର୍ଷ ଭିତରେ ୧୪୭ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରିତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନରେ ଭିତିଭୂମିର ବିକାଶ ପାଇଁ ୩ ହଜାର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏସସିବିର ପୁନଃବିକାଶ ପାଇଁ ୧ ହଜାର ୪ ଶହ କୋଟି ଟଙ୍କା ରହିଛି । ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ ସେବା ପାଇଁ ଚଳିତ ବଜେଟରେ ୨ ଶହ ୫୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ । କେମୋଥେରାପି, ଅଙ୍କୋ ସର୍ଜରୀ, ରେଡିଓଥେରାପି ଓ ପୀଡା ଉପଶମକାରୀ କର୍କଟରୋଗର ଚିକିତ୍ସା ପାଇଁ ୩ଟି ପର୍ୟ୍ୟାୟରେ ୧୧ଟି କେନ୍ଦ୍ର ପ୍ରତିଷ୍ଠା ହେବ । ଏଥିପାଇଁ ବଜେଟରେ ୧ ହଜାର ୪୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନ୍ୟପଟେ କର୍କଟ ଚିକିତ୍ସା କେନ୍ଦ୍ର ପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସେହିପରି ପିଏମ୍-ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ମିଶନ ପାଇଁ ୩ ଶହ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ହରିଶ୍ଚନ୍ଦ୍ର ସହାୟତା ଯୋଜନା ଅଧୀନରେ ସହାୟତା ରାଶିକୁ ଗ୍ରାମାଞ୍ଚଳ ପାଇଁ ୨ ହଜାରରୁ ୩ ହଜାର ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ସହରାଞ୍ଚଳରେ ଏବେ ଏହି ରାଶିର ପରିମାଣ ୩ ହଜାରରୁ ୪ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।