0

ପୋଲିସ ଟୋପିକୁ ଅବମାନନା ,ଏନଏସି ଯନ୍ତ୍ରୀ ଟୋପି ପିନ୍ଧା ଫଟୋ ଭାଇରାଲ
ସୂର୍ୟ୍ୟକାନ୍ତ ବେହେରା/ମାଲକାନଗିରି: ପୋଲିସ ଟୋପିର ଅପବ୍ୟବହାର କରିଥିବା ହେତୁ ବର୍ତ୍ତମାନ ହରଡ଼ ଘଣାରେ ପଡିଛନ୍ତି ଯନ୍ତ୍ରୀ। ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ କାର୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ସୁଶୀଲ କୁମାର ବେହେରା ପୋଲିସ ଟୋପିକୁ ପିନ୍ଧିଥିବା ଫୋଟୋ ଏବେ ସୋସିଆଲ ମିଡିଆ ଓ ପ୍ରତ୍ୟେକଙ୍କ ମୋବାଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ପୋଲିସ ଟୋପିକୁ କନିଷ୍ଠ ଯନ୍ତ୍ରୀ ଅବମାନନା କରିଥିବା ଯୋଗୁ ସେ ଥାନାର ସମ୍ମୁଖୀନ ହୋଇଥିଲେ।
ଘଟଣାରୁ ପ୍ରକାଶ, ବାଲିମେଳା ଏନଏସି ରେ କୋଭିଡ-୧୯ ଯୋଗୁ ଏନଏସି କର୍ମଚାରୀ ଓ ପୋଲିସର ମିଳିତ ସ୍କ୍ୱାର୍ଡ ବାଲିମେଳା ସହରର ବିଭିନ୍ନ ଛକ ଏବଂ ସ୍ଥାନ ମାନଙ୍କରେ ମାସ୍କ ଚେକିଂ କରିବା ସହ ଲୋକଙ୍କୁ ସଚେତନ କରାଉଥିଲେ। ଅମାନିଆଙ୍କ ଠାରୁ ଜରିମାନା ବି ଆଦାୟ କରୁଥିଲେ। ସେହି ଯାଞ୍ଚ ଟିମ ରେ କାର୍ୟ୍ୟରତ ଥିବା ଜଣେ ପୋଲିସ କର୍ମଚାରୀ ଏନଏସିର ଗାଡ଼ିରେ ଟୋପି ଟିକୁ ରଖି ଯାଞ୍ଚ କରୁଥିବା ସମୟରେ ଉକ୍ତ ଏନଏସି କନିଷ୍ଠ ଯନ୍ତ୍ରୀ ଶ୍ରୀ ବେହେରା ଏନଏସି ଗାଡ଼ିରେ ବସି ସେଲ୍ଫି ନେଇଥିଲେ । ଉକ୍ତ ଫୋଟୋକୁ ଫେସବୁରେ ଅପଲୋଡ କରିଥିଲେ। ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଏ ସମ୍ପର୍କରେ ଜାଣିବା ପରେ କନିଷ୍ଠ ଯନ୍ତ୍ରୀ ଜଣକ ଉକ୍ତ ଫୋଟୋ ଏବଂ ଭିଡିଓ ନିଜ ଫେସବୁକରୁ ଡିଲିଟ କରିଦେଇଥିଲେ। କିନ୍ତୁ ଏହି ଫୋଟୋ ପୋଲିସର ନଜର ରୁ ଖସି ପାରିନଥିଲା। ଓରକେଲ ଥାନା ପୋଲିସ ଘଟଣା ରେ ସମ୍ପୃକ୍ତ ଯନ୍ତ୍ରୀ ଙ୍କୁ ଥାନାକୁ ଡକାଇ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ସମ୍ମୁଖରେ ଶ୍ରୀ ବେହେରା ତାଙ୍କ ଭୁଲ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ ପୋଲିସ ପକ୍ଷରୁ ଜେଇ ଙ୍କୁ ତାଗିଦ କରି ଛଡ଼ାଯାଇଥିବା ଓରକେଲ ଥାନାଧିକାରୀ ସୌମେନ୍ଦୁ ତ୍ରିପାଠୀ ସୂଚନା ଦେଇଛନ୍ତି।