ନୂଆଦିଲ୍ଲୀ ରେଳ ଷ୍ଟେସନରେଅସମ୍ଭାଳ ଭିଡ ଯୋଗୁଁ ଦଳାଚକଟା ହୋଇ ଗଲା ୧୮ ଜୀବନ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଗତକାଲି ରାତିରେ ଅଚାନକ ଅସମ୍ଭାଳ ଭିଡ ଯୋଗୁଁ ଦଳାଚକଟା ହୋଇ ୩ଶିଶୁ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଥିବା ଜଣାପଡିଛି । ଆଉ ୧୦ ଜଣ  ଆହତଙ୍କୁ ଏଲଏନଜେପି ହସ୍ପତଟାଲରେ ଭର୍ତ୍ତି କରାଯାଇଛି । ଷ୍ଟେସନର ୧୪,୧୫ ଓ ୧୬ ନମ୍ବର ପ୍ଲାଟଫର୍ମରେ ଭିଡ ଅନିୟନ୍ତ୍ରିତ ହେବାରୁ ଏଭଳି ଅଘଟଣ ଘଟିଛି । ଶ୍ୱାସରୁଦ୍ଧ ହୋଇ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଅଚେତ ହୋଇପଡିଥିଲେ । ମହାକୁମ୍ଭ ଯାଉଥିବା ୩ଟି ଟ୍ରେନର ଯାତ୍ରୀମାନେ ଏକ ସାଙ୍ଗରେ ପ୍ଲାଟଫର୍ମରେ ଏକାଠି ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା  । ହଜାର ହଜାର ଲୋକଙ୍କ ଭିଡ ଭିତରେ ଶ୍ୱାସରୁଦ୍ଧକର ସ୍ଥିତି ସୃଷ୍ଟି ହେବାରୁ ଏହା ଦଳାଚକଟାରେ ରୂପ ନେଇଥିଲା ।

 ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ନୂଆଦିଲ୍ଲୀ ଷ୍ଟେସନରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ କହିଛି ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରୁ ୪ଟି ନୂଆ ମହାକୁମ୍ଭ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ରେଳମନ୍ତ୍ରୀ ଘୋଷଣା କରିଛନ୍ତି ।

ସେପଟେ ଦିଲ୍ଲୀର ବିଦାୟୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା LNJP ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି । ଦଳାଚକଟାର କାରଣ ଜାଣିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

ସେପଟେ  ଦିଲ୍ଲୀ ରେଳଷ୍ଟେସନ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଅନ୍ୟପଟେ ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ । ମୃତକଙ୍କ ପରିବାରଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ ।ମିଳିଥିବା ସୂଚନା ଅନୁସାରେ ୧୮ ମୃତକଙ୍କ ମଧ୍ୟରେ ୯ଜଣ ବିହାରର, ୮ଜଣ ଦିଲ୍ଲୀର ଓ ଜଣେ ହରିୟାଣାର ବୋଲି ସୂଚନା ମିଳିଛି ।