ଭୁବନେଶ୍ୱର : ଗତ ୩ ବର୍ଷରେ କଟକ-ଭୁବନେଶ୍ୱରର ଅମାନିଆ ଗାଡି ଚାଳକ ମାନେ ଗଣିଛନ୍ତି କୋଟି କୋଟି ଟଙ୍କା । ୩ବର୍ଷରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ୧୮୬ କୋଟିରୁ ଅଧିକ ଟଙ୍କା ଜରିମାନା ଗଣିଛନ୍ତି ଗାଡି ଚାଳକ ।ଏ ନେଇ ବିଧାନ ସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନ ସଭାରେ ବିଧାୟକ ସୌଭିକ ବିଶ୍ୱାଳ ଭୁବନେଶ୍ୱର-କଟକରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଗତ ୩ବର୍ଷରେ କେତେ ଜରିମାନା ଆଦାୟ ହୋଇଛି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଗତ ୩ବର୍ଷରେ ମୋଟ ୧୮ଲକ୍ଷ ୫୨ ହଜାର ୩୯୪ଜଣଙ୍କ ଠାରୁ ବିଭିନ୍ନ ଟ୍ରାଫିତ ନିୟମ ଉଲ୍ଲଂଘନ ପାଇଁ ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି ।
ବିନା ହେଲମେଟରେ ଗାଡି ଚଳାଉଥିବା ୮ ଲକ୍ଷ ୬୬ ହଜାର ୪୬୪ ଜଣଙ୍କ ଠାରୁ ୮୫ କୋଟି ୬ ଲକ୍ଷ ୭୨ ହଜାର ୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ବିନା ହେଲମେଟରେ ହିଁ ସର୍ବାଧିକ ଜରିମାନା ଆଦାୟ କରାଯାଇଛି ।
ସେହିଭଳି ମୋବାଇଲରେ କଥା ହୋଇ ୧୪୮୬୫ ଜଣ ୬ କୋଟି ୬୫ ଲକ୍ଷ ୧୨ ହଜାର ୮୦୦ ଟଙ୍କାର ତଣ୍ଡ ଗଣିଛନ୍ତି । ସିଟ୍ ବେଲ୍ଟ ନ ପିନ୍ଧିବା କାରଣରୁ ୧୯୬୪୩ ଜଣ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା, ରଙ୍ଗ ରୁଟରେ ଗାଡି ଚାଳନା ପାଇଁ ୧୮୬୨୫ ଜଣ ୮୬ ଲକ୍ଷ ୬୯ ହଜାର ୧୦୦ ଟଙ୍କା ଜରିମାନା ଗଣିଛନ୍ତି । ଏହାବାଦ୍ ମଦ୍ୟପାନ କରି ଗାଡି ଚାଳନ ପାଇଁ ୫୬୨୮ ଜଣଙ୍କ ଠାରୁ ୨୮ ଲକ୍ଷ ୮ ହଜାର ଟଙ୍କା, ଅନ୍ୟ ନିୟମ ଉଲ୍ଲଂଘନ କରି ୯ ଲକ୍ଷ ୨୭ ହଜାର ୫୯ ଜଣ ବ୍ୟକ୍ତି ୯୧ କୋଟି ୨୬ ଲକ୍ଷ ୧ ହଜାର ୭୪୦ ଟଙ୍କା ତଣ୍ଡ ଗଣିଛନ୍ତି । ଏହିଭଳି ଭାବେ ମୋଟ ୧୮୬ କୋଟି ଟଙ୍କାର ଜରିମାନା ଆଦାୟ କରିଛି କମିଶନରେଟ ପୋଲିସ ।