ଭୁବନେଶ୍ୱର/ଆଦର୍ଶ ରାଉତ: ପଡିଶା ହେଇ ଥିଲେ । ଗଢିଉଠିଥିଲା ସୁସମ୍ପର୍କ । ଭାବର ଆଦାନ ପ୍ରଦାନ । ହେଲେ ପଡିଶାରୁ ଯିବା ପରେ ସେହି ବିଶ୍ୱାସୀ ପଡୋଶୀ ପାଲଟିଗଲେ ବିଶ୍ୱାସଘାତକ । ବିଶ୍ୱାସରେ ଦେଲେ ବିଷ । ସମାଜରେ କରିଦେଲେ ଲଜ୍ଜିତ । ସୋସିଆଲ ମିଡିଆରେ ବଦନାମ କରିବାକୁ ଛାଡିଲାନି କିଛି ବାଟ । ଏମିତି ବିଶ୍ୱାସରରେ ବିଷକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ହୋଇଛି ଅଭିଯୋଗ ।
ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣାରେ ବସବାସ କରୁଥିବା ରାଜଲକ୍ଷ୍ମୀ ଶୁକ୍ଳାଙ୍କ ପଡିଶାରେ ଧ୍ରୁବ ଚରଣ ସାହୁଙ୍କ ପରିବାର ଦୀର୍ଘ ୧୨ ବର୍ଷ ଧରି ରହି ଆସୁଥିଲେ । ଉଭୟ ପରିବାର ମଧ୍ୟରେ ଘନିଷ୍ଠତା ରହିଥିଲା । କିନ୍ତୁ ଚଳିତ ମାସ ଆରମ୍ଭରେ ସେମାନଙ୍କ ମଧ୍ୟରେ ମତାନ୍ତର ହେଲା । ଏହା ପରେ ଧ୍ରୁବଚରଣଙ୍କ ପରିବାର ନିଳାଦ୍ରୀ ବିହାର ବସ୍ତୀକୁ ଚାଲିଗଲେ । କିଛି ଦିନ ତଳେ ରାଜଲକ୍ଷ୍ମୀଙ୍କୁ ଏକ ଓଟିପି ଆସିଲା । ସେ ସେହି ଲିଙ୍କ ଓପନ କରିବା ପରେ ତାଙ୍କ ଫେସବୁକରେ ବହୁ ଅଶ୍ଳୀର ଫଟୋ, ଲିଙ୍କ ସବୁ ସେୟାର ହେବା ସହ ତାଙ୍କ ଘରର ଫୋନ ନମ୍ବର ଦିଆଯାଇଥିବା ଦେଖିବାକୁ ପାଇଥିଲେ । ଯେଉଁ ଆକାଉଣ୍ଟଟି ପୂର୍ବରୁ ଧ୍ରୁବଚରଣଙ୍କ ଝିଅ ମମତା ଖୋଲିଥିଲେ । ଏହା ପରେ ରାଜଲକ୍ଷ୍ମୀ ମମତାଙ୍କୁ କଲ କରିଥିଲେ ମଧ୍ୟ ଧ୍ରୁବ ଚରଣ ଫୋନ ଉଠାଇଥିଲେ ଓ ମମତା ସହ କଥା ହୋଇପାରିବ ନାହିଁ ବୋଲି କହିଥିଲେ । ସେ ସବୁ କଥା କହିବା ପରେ ଓଲଟା ଧ୍ରୁବଚରଣ ତାଙ୍କୁ କହିଥିଲେ ଯାହା କରିବା କଥା କର । ତେଣୁ ରାଜଲକ୍ଷ୍ମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।