ସାମାନ୍ୟ ବଚସାକୁ ନେଇ ମହାଭାରତ । ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣରେ ୨ଅଭିଯୁକ୍ତ ଗିରଫ । ସୂଚନା ମୁତାବିକ ଗତକାଲି ୩.୩୦ ସମୟରେ ଅଭିଯୋଗକାରୀ ମିର୍ଜା ଅର୍ସଦ ଏବଂ ତାଙ୍କ ଭାଇ ନିଜର କାର ପାର୍କିଂ ରୁ ବାହାରକୁ ବାହାର କରୁଥିଲେ । ଏହି ସମୟରେ ଦୁଇ ଅଭିଯୁକ୍ତ ସେହି ରାସ୍ତା ଦେଇ ଏକ ମୋଟୋର ସାଇକେଲରେ ଯାଉଥିବା ବେଳେ ମୋଟରସାଇକେଲଟି ଅଭିଯୋଗକାରୀଙ୍କ ସାନ ଭାଇଙ୍କ ସହିତ ଧକା ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ମୋଟରସାଇକେଲ ନେଇ ଅଭିଯୁକ୍ତ ମାନେ ସେଠାରୁ ପଳାଇ ଯାଇଥିଲେ। କିନ୍ତୁ କିଛି ସମୟ ପରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ୧୦ ରୁ ୧୫ ଜଣ ସହଯୋଗୀଙ୍କ ସହ ଆସି ଅଭିଯୋଗକାରୀଙ୍କ ଘରେ ଜୋରଜବରଦସ୍ତ ପଶି ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଲୁହା ଛଡ, ଭଙ୍ଗା ବୋତଲ ଓ ପଥର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତ ମାନେ ମହିଳା ସଦସ୍ୟଙ୍କ ସହିତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହିତ ଗୃହପୋଯୋଗୀ ଉପକରଣ ସବୁକୁ ମଧ୍ୟ ଫୋପଡାଫିଙ୍ଗା କରିଥିଲେ ।ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମିର୍ଜା ଅର୍ସଦ । ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିଥିଲା । ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଷ୍ଟେସନ ବଜାର ଅଞ୍ଚଳରୁ କାବୁ କରିବାରେ ସକ୍ଷମ ହୋଇଥିଲା। ଘଟଣାରେ ବ୍ୟବହୃତ ମୋଟରସାଇକେଲକୁ ଜବତ କରିଥିଲା ପୋଲିସ । ପଚରାଉଚରା ବେଳେ ଅଭିଯୁକ୍ତ ଦୁହେଁ ନିଜ ଅପରାଧ ସ୍ୱୀକାର କଲେ । ମାମଲାର ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରୀ ରହିଛି ।