ଗିରଫ ହେଲେ ଦୁଇ ଅଭିଯୁକ୍ତ । ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀ ୨୧ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ବରଯାତ୍ରୀ ଦଳ ସହିତ ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମକୁ ଯାଇଥିଲେ । ବରଯାତ୍ରୀ ଦଳ ରୋଷଣୀ କରି ଯାଉଥିବା ବେଳେ, ପୂର୍ବ ବିବାଦକୁ କେନ୍ଦ୍ର କରି ଦୁଇ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀ ମାନେ ବରଯାତ୍ରୀ ଦଳ ସହ ଯାଉଥିବା ଅଭିଯୋଗକାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ଉପରକୁ ଟେକାପଥର ମାଡ଼ କରିବା ସହ ଏକ ଗାଡିକୁ ବାଡ଼େଇ ଭାଙ୍ଗି ଦେଇଥିଲେ ଏବଂ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ଏହି ଆକ୍ରମଣ ଯୋଗୁଁ ଅଭିଯୋଗକାରୀ ଏବଂ ଆଶୁତୋଷ ପଢିଆରୀ ନାମକ ଅନ୍ୟ ଜଣେ ଯୁବକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ।ଏନେଇ ଅଭିଯୋଗକାରୀ ସୌମ୍ୟ ରଞ୍ଜନ ସାହୁ ଅଭିଯୋଗ କରିବା ପରେ, ନନ୍ଦନକାନନ ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ଚଢଉ ଜରିଆରେ ଦୁଇ ଅଭିଯୁକ୍ତଙ୍କୁ ସେମାନଙ୍କ ଘରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ସେମାନଙ୍କ ଠାରୁ ଏକ ମୋବାଇଲ ଫୋନ ଏବଂ ଏକ ଏଲେକ୍ଟ୍ରିକ ସ୍କୁଟିକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଦୁହେଁ ନିଜର ଅପରାଧ ସ୍ଵୀକାର କରିଥିଲେ । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।