ରେଳ ୱାଗନରୁ ବୋମା ଜବତ ଘଟଣାରେ ୨ କର୍ମଚାରୀ ନିଲମ୍ବିତ…

0

ରେଳ ୱାଗନରୁ ବୋମା ଜବତ ଘଟଣାରେ ୨ ନିଲମ୍ବିତ । ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ୱାଗନରୁ ୧୨ଟି ବୋମା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଗୋଳା ବାରୁଦ କାରଖାନାରେ ୨ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଜୁନିଅର ୱାର୍କସ୍ ମ୍ୟାନେଜର ସୁଶାନ୍ତ ପାଣିଗ୍ରାହୀ ଓ ବୈାଦ୍ଧ ବେହେରା ନିଲମ୍ବିତ ହୋଇଛନ୍ତି ।


ସୂଚନା ଅନୁସାରେ, କଣ୍ଟାବାଞ୍ଜି ରେଳ ଷ୍ଟେସନ୍‌ରେ ପ୍ରତିଦିନ ଆସୁଥିବା ରେଳ ୱାଗନ୍ ଯାଞ୍ଚ ହୁଏ। ରବିବାର ଏକ ଟ୍ରେନ୍‌ କଣ୍ଟାବାଞ୍ଜି ଷ୍ଟେସନ୍‌କୁ ଆସିଥିବାବେଳେ ଗୋଟିଏ ୱାଗନ୍‌ରେ ୧୨ଟି ବୋମା ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏହି ବୋମା ୧୫୫ ଏମ୍‌ଏମ୍‌ ବିଶିଷ୍ଟ ଏବଂ ଏହା ତୋପ (ଟ୍ୟାଙ୍କ)ରେ ଭାରତୀୟ ସେନା ଦ୍ବାରା ବ୍ୟବହାର କରାଯାଏ। ତେବେ ଏଭଳି ବିଧ୍ବଂସୀ ବୋମା ସୁରକ୍ଷାବିହୀନ ଅବସ୍ଥାରେ ରେଳ ୱାଗନ୍‌କୁ ଆସିଲା କେମିତି?

ସୂଚନା ଅନୁସାରେ, ବୋମାଗୁଡ଼ିକ ସଇନ୍ତଳା ବଡ଼ମାଳ ଗୋଳାବାରୁଦ କାରଖାନାର। ବଡ଼ମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ଟ୍ରେନ୍‌ ୱାଗନ୍‌ରୁ ଜୀବନ୍ତ ବୋମା ମିଳିବାକୁ ନେଇ ଏକପ୍ରକାର ଭୟର ବାତାବରଣ ଦେଖାଦେଇଥିଲା। ବୋମା ଜବତ ପରେ ଏକ ବଡ଼ ଅଘଟଣାରୁ ମଧ୍ୟ ରକ୍ଷା ମିଳିଥିବା ଚର୍ଚ୍ଚା ହୋଇଥିଲା।