ମୟୂରଭଞ୍ଜ: ରାଜ୍ୟରେ କମୁନି ହାତୀ ଉପଦ୍ରବ । ପୁଣି ଦନ୍ତା ଆକ୍ରମଣରେ ଗଲା ୨ଜଣଙ୍କ ଜୀବନ । ଦୀର୍ଘ ଦିନ ଧରି ଉତପାତ ମଚାଉଛନ୍ତି ଝାଡଖଣ୍ଡୀ ହାତୀପଲ । ପଶ୍ଚିମବଙ୍ଗ ପଟୁ ଏକ ଦନ୍ତା ହାତୀ ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ରଚିଛି ଆତଙ୍କ। ଘଟଣାରେ ଶୁଳିଆପଦା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହାତ ହୋଇ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ବନବିଭାଗ ଦ୍ବାରା ଚିକିତ୍ସାଧୀନ ଅଛନ୍ତି । ମୃତକ ଜଣଙ୍କ ହେଲେ ପାକଟିଆ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ । ଆହତ ଦ୍ବୟ ହେଲେ ପୋଖରିଆ ଗ୍ରାମର ଲୁସକି ସୋରେନ ଓ ତାଡକି ଗ୍ରାମର ସର୍ବେଶ୍ବର ସିଂ ବୋଲି କୁହାଯାଉଛି ।
ସେହିପରି ଆଜି ଏହି ଦନ୍ତା ହାତୀ ଆକ୍ରମଣରେ ମୋରଡା ଥାନା ଅଧୀନ ଘୋଳମୁହାଁ ପଞ୍ଚାୟତ ଉଲିଡ଼ିହି ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ତୁରାମ ହେମ୍ବ୍ରମଙ୍କ ସ୍ତ୍ରୀ ସାକ୍ରା । ଏହା ପରେ ହାତୀଟି ବେତନଟୀ ରେଞ୍ଜରେ ପ୍ରବେଶ କରି ଆଣୁଆ ଗ୍ରାମର ସୁଗା ମହାନ୍ତଙ୍କୁ ଗୁରୁତର ଆହାତ କରିଛି । ଆହତଙ୍କୁ ବନବିଭାଗ ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।