ଆସାମରେ ପ୍ରଳୟଙ୍କରୀ ବର୍ଷା , ମାଟି ତଳେ ପୋତି ହୋଇଗଲେ ଦୁଇ ନାବାଳିକା

ଆସାମରେ ପ୍ରବଳ ବର୍ଷା ଜାରି ରହିଛି।

0

(ଆସାମ) : ଆସାମରେ ପ୍ରବଳ ବର୍ଷା ଜାରି ରହିଛି। ଆସାମର ଗୋଲପାରା ଅଞ୍ଚଳରେ ଲଗାତର ବାଦଲଫଟା ବର୍ଷା ଯୋଗୁ ଭୂସ୍ଖଳନ ହୋଇଛି। ଫଳରେ ମାଟି ତଳେ ପୋତି ହୋଇ ଦୁଇ ନାବାଳିକା ପ୍ରାଣ ହରାଇଛନ୍ତି । ବର୍ଷା ଯୋଗୁ ଗତ ତିନି ଦିନରେ ୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେପଟେ ବନ୍ୟା ଯୋଗୁ ଅନେକ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି।

ଉଦ୍ଧାରକାରୀ ଦଳ ମାଟି ତଳୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଜି ସକାଳୁ ଗୋଲପାରା ନିକଟରେ ଏହି ଅଘଟଣ ଘଟିଛି। ଆସାମରେ ଲଗାତାର ଗତ କିଛି ଦିନ ହେବ ବର୍ଷା ଜାରି ରହିଛି। ଫଳରେ ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।

ସୂଚନାନୁଯାୟୀ , ସେପଟେ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏଥିଯୋଗୁ ଲୁମଶନୋଙ୍ଗ ଅଞ୍ଚଳର ଜାତୀୟ ରାଜପଥ-୬ର କିଛି ଅଂଶ ଧସି ଯାଇଛି। ଏହି ଜାତୀୟ ରାଜପଥଟି ଧସିଯିବା ପରେ ମଧ୍ୟ ଭାରତର ପୂର୍ବୋତ୍ତରକୁ ଯିବାଆସିବା ବନ୍ଦ ରହିଛି। ଏହି ରାଜପଥ ଦକ୍ଷିଣ ଆସାମ, ମିଜୋରାମ, ତ୍ରିପୁରା ଏବଂ ମଣିପୁରର କିଛି ଅଂଶକୁ ଦେଶର ଅନ୍ୟ ଅଂଶ ସହିତ ସଂଯୋଗ କରେ।