(ପ୍ରିୟଦର୍ଶନୀ ସ୍ୱାଇଁ): ରେଲୱେ ବ୍ୟାଟେରି ଚୋରି ବେଳେ ଧରାପଡ଼ିଲେ ଦୁବୃର୍ତ୍ତ । ସୋମବାର ବିଳମ୍ବିତ ରାତିରେ ୧୬ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ଛକରୁ ଖଣ୍ଡଗିରି ଥାନା ପୁଲିସ ୯ଟି ରେଲୱେ ବ୍ୟାଟେରି ଭର୍ତ୍ତି ବଲେରୋ ଜବତ କରିଛି। ଏଥିସହ ଗାଡ଼ିରେ ଥିବା ଦୁଇଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗିରଫ କରାଯାଇଛି। ମଞ୍ଚେଶ୍ବର ରେଳଡ଼ବା ମରାମତି ୱାର୍କସପ୍ରୁ ବ୍ୟାଟେରି ଚୋରି କରି ନେଉଥିଲେ । ଜଣେ ଯୁବକ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗାଁର ରାକେଶ ରଣସିଂହ ବେଳେ ଆଉ ଜଣେ ଘୋରଡ଼ିଆ ଗାଁର ଦିଗମ୍ବର ଜେନା। ଦିଗମ୍ବର ଏହି ମରାମତି ୱାର୍କସପ୍ରେ ଏକ ଏଜେନ୍ସି ଜରିଆରେ କାମ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ। ଜବତ ବ୍ୟାଟେରିଗୁଡ଼ିକର ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ସୂଚନାନୁସାରେ,ଖଣ୍ଡଗିରି ଥାନା ପୁଲିସ ୧୬ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ଛକରେ ବ୍ଲକିଂ କରୁଥିଲା। ରାତି ପ୍ରାୟ ୨ଟା ବେଳେ ଏକ ବଲେରୋ ବେଶ୍ ଦ୍ରୁତ ବେଗରେ ଭୁବନେଶ୍ବରରୁ ଖୋର୍ଧା ଦିଗରେ ଯାଉଥିଲା। ଗାଡ଼ିରେ ଡବ୍ଲ୍ୟୁଆର୍ ଡିପାର୍ଟମେଣ୍ଟ, ଓଡ଼ିଶା ସରକାର ବୋଲି ଲେଖାଥିଲେ ମଧ୍ୟ ପୁଲିସ ସନ୍ଦେହ କରି ଅଟକାଇଥିଲା। ଯାଞ୍ଚ କଲା ପରେ ସେଥିରେ ବଡ଼ ବଡ଼ ୯ଟି ବ୍ୟାଟେରି ଥିବା ଦେଖିବାକୁ ମିଳିଥିଲା। ପୁଲିସ ଅଧିକାରୀ ସେମାନଙ୍କୁ ପଚରାଉଚରା କରିବାରୁ ଦିଗମ୍ବର ନିଜକୁ ରେଳବାଇ କର୍ମଚାରୀ ବୋଲି ପରିଚୟ ଦେବା ସହ ବ୍ୟାଟେରିଗୁଡ଼ିକ ଖୋର୍ଧାରୋଡ୍ ଜଙ୍କସନ୍କୁ ପଠାଯାଉଛି ବୋଲି କହିଥିଲା।