୨ ବର୍ଷର ପିହୁ ୪ ମାସ ହେଲା ନିଖୋଜ, ପୁଲିସ ନିଷ୍କ୍ରିୟତା ନେଇ ଅଭିଯୋଗ

0

ଭୁବନେଶ୍ୱର: ନୟାଗଡର ପରୀ ହତ୍ୟା ଘଟଣାକୁ ନେଇ ରାଜନୀତି ଯୋର ଧରିଛି । ଘଟଣାକୁ ୫ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀକୁ ଧରିବାରେ ଅକ୍ଷମ । ଏପରି ସମୟରେ ସମାନ ଅଭିଯୋଗ ଆସୁଛି ଯାଜପୁରରୁ । ଅଗଷ୍ଟ ମାସରୁ ନିଖୋଜ ଥିବା ଜଣେ କୁନି ଝିଅକୁ ଠାବ କରି ପାରିନି ପୁଲିସ । ପୁଲିସ କେବଳ ଏକ ମାମଲା ରୁଜୁ କରି ବସିଥିବା ଅଭିଯୋଗ ହେଉଛି । ଏହା ମଧ୍ୟରେ ୪ ମାସ ବିତି ଗଲାଣି, କିନ୍ତୁ ଝିଅର କୌଣସି ପତ୍ତା ନ ମିଳିବାକୁ ନେଇ ଝିଅର ବାପା ମା କାନ୍ଦୁଛନ୍ତି ।
୨୦୨୦ ଅଗଷ୍ଟ ୯ ତାରିଖ ଦିନ ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁ ଲକ୍ଷ୍ମଣ ନାୟକଙ୍କ ଦୁଇ ବର୍ଷର ଝିଅ ଶୁଭଲକ୍ଷ୍ମୀ ନାୟକ ଓରଫ ‘ପିହୁ’ ଗାଁ ଦାଣ୍ଡରେ ପିଲାଙ୍କ ସହ ଖେଳୁ ଥିଲା । ମା ଘର କାମ ସାରି ପିହୁକୁ ଖୋଜିବା ବେଳକୁ ତାର କୌଣସି ପତ୍ତା ମିଳି ନ ଥିଲା । ପରିବାର ଲୋକେ ସାହି ପଡିଶାରେ ପଚରାଉଚରା କରିଥିଲେ । ପରେ ଗ୍ରାମର କେହି କହିଥିଲେ ପିହୁ ଖେଳୁ ଥିବା ବେଳେ ଏକ ବାଇକରେ କେହି ଆସି ତାର ମୁହଁ ବାନ୍ଧି ତାକୁ ନେଇ ଫେରାର ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ବିଞ୍ଝାରପୁର ଥାନାରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ବାଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ପିହୁର ବାପା ମଧ୍ୟ ଖବର ପାଇ ଘରକୁ ଫେରିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ପିହୁର ପତ୍ତା ମିଳି ନ ଥିଲା । ଏହା ମଧ୍ୟରେ ୪ ମାସ ବିତି ଯାଇଥିଲେ ମଧ୍ୟ ଝିଅର କୌଣସି ପତ୍ତା ନାହିଁ । ପୁଲିସ ଏହି ଘଟଣାରେ କିଛି ନ କରି ହାତରେ ହାତ ଦେଇ ବସିଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି । ପୁଲିସ କିଛି କହିବାକୁ ମନା କରୁଥିବା ବେଳେ ଶିଶୁ ଶୁରକ୍ଷା ଅଧିକାରୀ ମଧୁସୂଦନପୁର ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହିତ ଆଲୋଚନା କରିଛି।

SR