ମୋହନ ସରକାରଙ୍କ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ, ୨୦ ନୂଆ ଜିଲ୍ଲାପାଳ ନିଯୁକ୍ତ

0

ଭୁବନେଶ୍ବର: ପ୍ରଥମଥର ପାଇଁ ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ମୋହନ ମାଝୀ ସରକାର ବୁଧବାର ରାଜ୍ୟରେ ୨୦ ଜଣ ନୂଆ ଜିଲ୍ଲାପାଳ ନିଯୁକ୍ତି ଘୋଷଣା କରିଛନ୍ତି।ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କ୍ଷମତାର ନିକଟତର କୁହାଯାଉଥିବା ଆଇଏଏସ୍ ଅଫିସରମାନଙ୍କୁ ବାଦ୍ ଦେବା ପାଇଁ ଏହି ଅଦଳବଦଳ କରାଯାଇଛି ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ଅଦଳବଦଳ ଯୋଗୁଁ ଅନେକ ଗୁରୁତ୍ୱପୂର୍ଣ୍ଣ ବଦଳି ଓ ନିଯୁକ୍ତି ମିଳିଛି।

ମାଲକାନଗିରି: ଆଶିଷ ଈଶ୍ୱର ପାଟିଲ, ଢେଙ୍କାନାଳ: ସମେଶ ଉପାଧ୍ୟାୟ, ନବରଙ୍ଗପୁର: ଶୁଭଙ୍କର ମହାପାତ୍ର, ବାଲେଶ୍ୱର: ସୂର୍ଯ୍ୟବଂଶୀ ମୟୂର ବିକାଶ, ଜଗତସିଂହପୁର: ଜେ.ସୋନାଲ, କଳାହାଣ୍ଡି: ପାୱାର ସଚିନ୍ ପ୍ରକାଶ, ନୟାଗଡ଼: ଅକ୍ଷୟ ସୁନୀଲ ଅଗ୍ରୱାଲ, ଭଦ୍ରକ: ଦିଲ୍ଲୀପ ରାଉତରାୟ,
ଗଜପତି: ବିଜୟ କୁମାର ଦାସ, କେନ୍ଦ୍ରପଡା : ସ୍ମୃତି ରଞ୍ଜନ ପ୍ରଧାନ, ରାୟଗଡ଼ା: ପାରୁଲ ପଟୱାରୀ, କନ୍ଧମାଳ: ଅମୃତ ଋତୁରାଜ, ସମ୍ବଲପୁର: ସିଦ୍ଧେଶ୍ୱର ବଳିରାମ ବୋନ୍ଦର, କଟକ: ଦତ୍ତତ୍ରେୟ ସିନ୍ଦେ, ମୟୂରଭଞ୍ଜ: ହେମା କାନ୍ତ ସେ, ଯାଜପୁର: ପି ଅନ୍ୱେଷା ରେଡ୍ଡୀ, ସୁନ୍ଦରଗଡ଼: ମନୋଜ ସତ୍ୟଓ୍ୱନ ମହାଜନ, ଦେବଗଡ଼: କବିନ୍ଦ୍ର କୁମାର ସାହୁ, ନୂଆପଡ଼ା: ମଧୁସୂଦନ ଦାସ, ବୌଦ୍ଧ: ସୁବ୍ରତ କୁମାର ପଣ୍ଡା ।

ସେହିପରି ୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯିବା ସହ ଓଡ଼ିଶା ପରିବହନର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ସେ ଦିଲୀପ ରାଉତରାୟଙ୍କ ସ୍ଥାନ ନେଇଛନ୍ତି। ଯିଏକି ଭଦ୍ରକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି।

ଉପାଧ୍ୟାୟଙ୍କ ସ୍ଥାନରେ ବାଲେଶ୍ୱର ଜିଲ୍ଲାପାଳ ତଥା ୨୦୧୧ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ଆଶିଷ ଠାକରେ କଟକ ରାଜସ୍ୱ ବୋର୍ଡର ସଚିବ ଭାବେ ଦାୟିତ୍ୱ ତୁଲାଇବେ। ବିଦାୟୀ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

ଯାଜପୁରର ପୂର୍ବତନ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଓଡ଼ିଶା, ଭୁବନେଶ୍ୱରର ମୃତ୍ତିକା ସଂରକ୍ଷଣ ଓ ଜଳସେଚନ ବିକାଶ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ପରେ ୨୦୧୭ ବ୍ୟାଚର ଆଇଏଏସ୍ ଅଫିସର ପି ଅନ୍ୱେଷା ରେଡ୍ଡୀ ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ପୂର୍ବରୁ କଟକ ମହାନଗର ନିଗମ କମିସନର ଭାବେ କାର୍ଯ୍ୟ କରୁଥିବା ବିଜୟ କୁମାର ଦାଶ ଏବେ ଗଜପତି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ।୨୦୧୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ତଥା ନୟାଗଡ଼ର ପୂର୍ବତନ ଜିଲ୍ଲାପାଳ ସ୍ୱାଧୀନ ଦେବ ସିଂହଙ୍କୁ ସରକାର, ପିଆର ଓ ଡିଡବ୍ଲ୍ୟୁ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରିଛନ୍ତି।

୨୦୧୫ ବ୍ୟାଚ୍ ଆଇଏଏସ୍ ଅଫିସର ପାରୁଲ ପଟୱାରୀଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ମୋ ସ୍କୁଲର ସଦସ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ। ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଅମୃତ ଋତୁରାଜ ଏବେ କନ୍ଧମାଳ ଜିଲ୍ଲାପାଳ ହୋଇଛନ୍ତି। ଭଦ୍ରକ ଜିଲ୍ଲାପାଳ ତଥା ୨୦୧୬ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ସିଦ୍ଧେଶ୍ୱର ବାଲିରାମଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।